ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା Iran–Israel conflict ପରିସ୍ଥିତିର ପ୍ରଭାବରେ Strait of Hormuz ଦେଇ ଏଲ୍ପିଜି ଆମଦାନି ବାଧାପ୍ରାପ୍ତ ହୋଇଥିବାରୁ ଭାରତ ସରକାର ବିକଳ୍ପ ବ୍ୟବସ୍ଥା ନେବାରେ ଲାଗିଛନ୍ତି। ଏହା ପରିପ୍ରେକ୍ଷିତରେ ଆମେରିକା, ନରୱେ, କାନାଡା ଓ ରୁଷ ଭଳି ଦେଶରୁ ଏଲ୍ପିଜି ଆମଦାନି ବଢ଼ାଇବାକୁ ଉଦ୍ୟମ ଚାଲିଥିବା ବେଳେ ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ Hardeep Singh Puri ସୂଚନା ଦେଇଛନ୍ତି।
ସୂଚନାନୁସାରେ, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଏଲ୍ପିଜି ଉତ୍ପାଦକ ଦେଶଗୁଡ଼ିକରୁ ମଧ୍ୟ ଯଥାସମ୍ଭବ ଗ୍ୟାସ୍ ଆଣିବା ପାଇଁ ପ୍ରୟାସ ଚାଲିଛି। ତେବେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଯୋଗାଣ ଶୃଙ୍ଖଳା ବିଘ୍ନିତ ହୋଇଥିବାରୁ ସରକାର ବିଭିନ୍ନ ଉତ୍ସରୁ ଏଲ୍ପିଜି ଆଣି ଦେଶର ଚାହିଦା ପୂରଣ କରିବାକୁ ଯୋଜନା କରୁଛନ୍ତି।
ବର୍ତ୍ତମାନ ଭାରତ ତାହାର ପ୍ରାୟ ୬୦ ପ୍ରତିଶତ ଏଲ୍ପିଜି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆମଦାନି କରୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇଁ ସରକାର ଜରୁରୀକାଳୀନ କ୍ଷମତାକୁ ବ୍ୟବହାର କରୁଛନ୍ତି। ସେଥିସହିତ ୩୩ କୋଟିରୁ ଅଧିକ ପରିବାରକୁ ଘରୋଇ ରନ୍ଧନ ଗ୍ୟାସ୍ ଯୋଗାଣ ନିଶ୍ଚିତ କରିବା ପାଇଁ ବାଣିଜ୍ୟିକ ଏଲ୍ପିଜି ଉପରେ ଅସ୍ଥାୟୀ ରୋକ ଲଗାଯାଇଛି ଓ Essential Commodities Act ମଧ୍ୟ ଲାଗୁ କରାଯାଇଛି।
ଏହି ସମୟରେ ହୋଟେଲ ଓ ରେସ୍ତୋରାଁଗୁଡ଼ିକୁ ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ସୁପାରିଶ ଦିଆଯାଇଛି। ବାୟୋମାସ୍, କିରୋସିନ୍ ଓ କୋଇଲାକୁ ଅସ୍ଥାୟୀ ଭାବରେ ଜାଳେଣି ଭାବେ ବ୍ୟବହାର କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ଅଶୋଧିତ ତେଲ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଭାରତ ପ୍ରାୟ ୭୦ ପ୍ରତିଶତ ତେଲ ଅଣ-ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଆମଦାନି କରୁଥିବାରୁ ଯୁଦ୍ଧର ପ୍ରଭାବ ତେଲ ବଜାର ଉପରେ ଅଧିକ ପଡ଼ିବା ସମ୍ଭାବନା କମ୍। ଏହି ସମୟରେ ପେଟ୍ରୋଲ ଓ ଡିଜେଲ୍ ଦର ସ୍ଥିର ରହିଥିବା ସେ କହିଛନ୍ତି।
ସେହିପରି ଦେଶକୁ ପ୍ରାୟ ପ୍ରତିଦିନ Liquefied Natural Gas ବୋହିଥିବା ଜାହାଜ ପହଞ୍ଚୁଥିବା ବେଳେ ଏଲ୍ଏନ୍ଜିର ଯଥେଷ୍ଟ ମଜୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଯଦିଓ ବାଣିଜ୍ୟିକ ଏଲ୍ପିଜି ସଙ୍କଟ ଯୋଗୁଁ ଦେଶର ଅନେକ ସ୍ଥାନରେ ହୋଟେଲ ଓ ରେସ୍ତୋରାଁଗୁଡ଼ିକ ବିକଳ୍ପ ଭାବରେ କାଠ ଚୁଲି ଓ ଅନ୍ୟ ଜାଳେଣି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି।
ସରକାର ବର୍ତ୍ତମାନ ଉପଲବ୍ଧତା ଆଧାରରେ ପୁଣିଥରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍ପିଜି ଯୋଗାଇବାକୁ ଯୋଜନା କରାଯାଇଛି।




