ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ର ପ୍ରଭାବରୁ ମୁକ୍ତ ହୋଇ ସ୍ୱାଧୀନ ଭାବେ ନିଷ୍ପତ୍ତି ନିଅନ୍ତୁ ଏବଂ ହରମୁଜ ପ୍ରଣାଳୀରୁ ନୌସେନା ଅବରୋଧ ହଟାଇବା ସହ ଇରାନର ଜବତ ସମ୍ପତ୍ତିକୁ ମୁକ୍ତ କରନ୍ତୁ। ଇରାନର ସର୍ବୋଚ୍ଚ ନେତାଙ୍କ ବରିଷ୍ଠ ସାମରିକ ପରାମର୍ଶଦାତା ମହସିନ ରେଜାଇ ସିଏନ୍ଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଆଲୋଚନା ଏବେ ଅଚଳାବସ୍ଥାରେ ଅଛି ଏବଂ ଟ୍ରମ୍ପଙ୍କୁ ହିଁ ଏହାକୁ ଭାଙ୍ଗିବାକୁ ହେବ।
ରେଜାଇଙ୍କ ଅନୁଯାୟୀ, ଯଦି ଆମେରିକା ପ୍ରକୃତରେ ବୁଝାମଣା ଚାହୁଁଛି, ତେବେ ଇରାନର ଜବତ ସମ୍ପତ୍ତି ମୁକ୍ତ କରିବା ତା’ ପାଇଁ ପ୍ରଥମ ପରୀକ୍ଷା ହେବ। ତେବେ ଟ୍ରମ୍ପ ଓ ଖାମେନେଇଙ୍କ ମଧ୍ୟରେ କୌଣସି ସମ୍ଭାବ୍ୟ ବୈଠକକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହ ସେ ଚେତାବନୀ ଦେଇଛନ୍ତି ଯେ, ଯଦି ୱାଶିଂଟନ ପୁଣି ସଂଘର୍ଷ ଆରମ୍ଭ କରେ, ତେବେ ଇରାନ ଏହି ଯୁଦ୍ଧକୁ ପାରସ୍ୟ ଉପସାଗର ବାହାରକୁ ଟାଣି ନେବ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୮ରେ ଲାଗୁ ହୋଇଥିବା ଯୁଦ୍ଧବିରତି ପରେ ପାକିସ୍ତାନର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଗତ ଫେବୃଆରୀରୁ ହରମୁଜ ପ୍ରଣାଳୀରେ ପରସ୍ପର ବିରୋଧରେ ଲାଗିଥିବା ସାମୁଦ୍ରିକ କଟକଣା ଓ ନିକଟରେ ହୋଇଥିବା ଆକ୍ରମଣ ଯୋଗୁଁ ଏହି ଅଞ୍ଚଳରେ ଉତ୍ତେଜନା ବେଶ୍ ବୃଦ୍ଧି ପାଇଛି।




