ଜବଲପୁର: କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ଭୟଙ୍କର ବୋଟ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ଅନେକ ପରିବାର ଛାରଖାର ହୋଇଯାଇଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟକର ତଥା ହୃଦୟବିଦାରକ ଖୁଲାସା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ବର୍ଷର ଶିଶୁ ପୁତ୍ର ତ୍ରିଶାନ୍‌କୁ ବୋଧହୁଏ ମୃତ୍ୟୁର ପୂର୍ବାଭାସ ମିଳିସାରିଥିଲା।

ଦିଲ୍ଲୀର ବାସିନ୍ଦା ପ୍ରଦୀପ କୁମାର, ଯିଏ ଏହି ଦୁର୍ଘଟଣାରେ ନିଜ ପତ୍ନୀ ଓ ପୁଅ ତ୍ରିଶାନ୍‌କୁ ହରାଇଛନ୍ତି, ସେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଦୀପଙ୍କ କହିବା ଅନୁଯାୟୀ, ବୋଟ୍‌ରେ ଚଢ଼ିବା ପୂର୍ବରୁ ତ୍ରିଶାନ୍ ବାରମ୍ବାର ମନା କରୁଥିଲା। ସେ କହୁଥିଲା, “ପାପା ପାଣିକୁ ଯିବାନି, ପାଣିରେ ବୁଡ଼ିଯାଆନ୍ତି।” ସେତେବେଳେ ପରିବାର ଲୋକେ ଏହାକୁ ପିଲାଳିଆମି ବା ସାଧାରଣ ଡର ଭାବି ଏଡ଼ାଇ ଦେଇଥିଲେ।

ପ୍ରଦୀପ କୁମାର କହିଛନ୍ତି ଯେ, ଯେତେବେଳେ ସେମାନେ ବୋଟ୍ ଭିତରେ ବସିଥିଲେ, ସେତେବେଳେ କୌଣସି ବିପଦର ଆଶଙ୍କା ନଥିଲା। ପାଣି ସ୍ଥିର ଥିଲା, କିନ୍ତୁ ହଠାତ୍ ତ୍ରିଶାନ୍ ପଚାରିଲା- “ପାପା, ଆମେ ବୁଡ଼ି ଯାଉଛେ କି?” ଏହି ପ୍ରଶ୍ନ ଶୁଣି ପ୍ରଦୀପ ସେତେବେଳେ ତାକୁ ଗାଳି କରି ଚୁପ୍ କରିଦେଇଥିଲେ। ଆଜି ସେହି କଥାକୁ ମନେ ପକାଇ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ସେ କହିଛନ୍ତି, “ମୋ ପୁଅ ବୋଧହୁଏ କିଛି ଅଘଟଣର ସଙ୍କେତ ପାଇସାରିଥିଲା, କିନ୍ତୁ ମୁଁ ତାକୁ ବୁଝିପାରିଲି ନାହିଁ।”

ଏହି ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ଫଟୋ ବହୁଳ ଭାବେ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମା’ ନିଜ ପୁଅକୁ କୋଳରେ ଜାକି ଧରିଛନ୍ତି। ସେହି ମା’ ଓ ପୁଅ ଥିଲେ ପ୍ରଦୀପଙ୍କ ପତ୍ନୀ ଓ ତ୍ରିଶାନ୍। ତ୍ରିଶାନ୍‌ର ବଡ଼ ଭଉଣୀ ସିୟା ମଧ୍ୟ କହିଛି ଯେ, ଘରୁ ବାହାରିବା ସମୟରୁ ହିଁ ଭାଇ ପାଣିକୁ ନେଇ ଡର ପ୍ରକାଶ କରୁଥିଲା।

“ମୋ ପୁଅ ସେଦିନ ବହୁତ ସହମି ଯାଇଥିଲା, ତାକୁ ହୁଏତ ମୃତ୍ୟୁ ଦେଖାଯାଉଥିଲା।” – କାନ୍ଦି କାନ୍ଦି କହିଲେ ପ୍ରଦୀପ।

ଏହି ଘଟଣା ଏବେ ସାରା ଦେଶର ଲୋକଙ୍କ ଆଖିରେ ଲୁହ ଆଣିଦେଇଛି। ଜଣେ ଶିଶୁର ସେହି ଅକୁହା କଥା ଓ ପରିବାରର ଏହି ଅପୂରଣୀୟ କ୍ଷତିକୁ ନେଇ ସୋସିଆଲ ମିଡିଆରେ ଶୋକର ଛାୟା ଖେଳିଯାଇଛି।