ଜବଲପୁର: ନର୍ମଦା ନଦୀ ଉପରେ ଘଟିଥିବା ଭୟାବହ ନୌକା ଦୁର୍ଘଟଣା ସାରା ଦେଶକୁ ଶୋକାକୁଳ କରିଛି। ମଧ୍ୟପ୍ରଦେଶର Bargi Dam ନିକଟରେ ଗୁରୁବାର ପ୍ରବଳ ପବନ ଓ ଝଡ଼ ଯୋଗୁଁ ପର୍ଯ୍ୟଟକ ବୋଝା ଏକ ନୌକା ନଦୀରେ ବୁଡ଼ିଯାଇଥିଲା। ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ନିଖୋଜ ରହିଛନ୍ତି।
ଆଜି ସକାଳେ ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କ ୪ ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ୍ୟୁ ପୂର୍ବରୁ ମା’ ଜଣକ ପୁଅକୁ ଛାତିରେ ଧରିଥିବା ଅବସ୍ଥାରେ ମିଳିଥିବା ଦୃଶ୍ୟ ସମସ୍ତଙ୍କୁ ବିଷାଦଗ୍ରସ୍ତ କରିଛି।
ଏହି ଦୁର୍ଘଟଣାରୁ ବଞ୍ଚିଥିବା ସୟଦ ରିୟାଜ ହୁସେନ୍ ତାଙ୍କ ଅନୁଭୂତି କହିଥିଲେ ଯେ, କେବଳ କିଛି ସେକେଣ୍ଡ ମଧ୍ୟରେ ପାଣି ନୌକା ଭିତରକୁ ପଶିଯାଇଥିଲା ଓ ସମସ୍ତ କିଛି ଅନିୟନ୍ତ୍ରିତ ହୋଇଯାଇଥିଲା। ସେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ଫସି ରହିଥିଲେ, ପରେ ଉଦ୍ଧାର ଦଳ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। କିନ୍ତୁ ତାଙ୍କ ପରିବାରର କିଛି ସଦସ୍ୟ ଏବେ ବି ନିଖୋଜ ଅଛନ୍ତି।
ସୂଚନା ଅନୁଯାୟୀ, ନୌକାରେ ୪୦ରୁ ଅଧିକ ପର୍ଯ୍ୟଟକ ଥିଲେ। ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୧୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୫ ଜଣ ଶିଶୁଙ୍କ ସହ ୯ ଜଣ ନିଖୋଜ ରହିଛନ୍ତି।
ଘଟଣାସ୍ଥଳରେ State Disaster Response Force ଓ ସ୍ଥାନୀୟ ପୁଲିସ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନୌକାର ଚାଳକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ସେ ଜୀବନ୍ତ ରହିଥିବା ଜଣାପଡ଼ିଛି।




