ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଜେପିଏସ୍‌ସି ଓ ଜେଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ବାତିଲ କରିବା ନିଷ୍ପତ୍ତି ଉପରେ ଗୁରୁବାର ରୋକ ଲଗାଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସଫଳ ପ୍ରାର୍ଥୀଙ୍କ ପକ୍ଷରୁ ଦାୟର ୪ଟି ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ପରୀକ୍ଷାରେ ସଫଳ ହୋଇ ଚାକିରିରେ ଯୋଗ ଦେଇସାରିଥିବା ଏବଂ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

୨୨ ନିଯୁକ୍ତି ପରୀକ୍ଷା ବାତିଲକୁ ଚ୍ୟାଲେଞ୍ଜ

ଆବେଦନକାରୀଙ୍କ ଓକିଲ ଅଦାଲତରେ ଯୁକ୍ତି ଦେଇଥିଲେ ଯେ, ପ୍ରଭାବିତ ପ୍ରାର୍ଥୀଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ସରକାର ଏକପାଖିଆ ଭାବେ ୨୨ଟି ନିଯୁକ୍ତି ପରୀକ୍ଷା ଓ ସମ୍ପୃକ୍ତ ନିଯୁକ୍ତି ପ୍ରକ୍ରିୟା ବାତିଲ କରିଛନ୍ତି। ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଥିଲେ ମଧ୍ୟ ସମସ୍ତ ସଫଳ ପ୍ରାର୍ଥୀଙ୍କୁ ଏକାସାଙ୍ଗରେ ଦଣ୍ଡିତ କରିବା ଉଚିତ ନୁହେଁ ବୋଲି ସେମାନେ ଯୁକ୍ତି ରଖିଥିଲେ।

ପ୍ରକୃତରେ ଅନିୟମିତତାରେ ସମ୍ପୃକ୍ତ ପ୍ରାର୍ଥୀ ଏବଂ ନିଜ ଯୋଗ୍ୟତା ଓ ପରିଶ୍ରମରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ କରିବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା।

କେଉଁ ପରୀକ୍ଷା ପ୍ରଭାବିତ?

ସରକାରଙ୍କ ବାତିଲ ନିଷ୍ପତ୍ତି ଯୋଗୁଁ ୧୧ତମ-୧୩ତମ ଜେପିଏସ୍‌ସି ମିଳିତ ସିଭିଲ ସେବା ପରୀକ୍ଷା, ଜେଏସ୍‌ଏସ୍‌ସି-ସିଜିଏଲ୍‌ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ପରୀକ୍ଷା ସମେତ ଅନେକ ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।

ଏହି ନିଷ୍ପତ୍ତି ଯୋଗୁଁ ପୂର୍ବରୁ ସରକାରୀ ଚାକିରିରେ ଯୋଗ ଦେଇସାରିଥିବା ଅନେକ ପ୍ରାର୍ଥୀଙ୍କ ଚାକିରି ମଧ୍ୟ ଅନିଶ୍ଚିତତାରେ ପଡ଼ିଥିଲା।

ଆନ୍ଦୋଳନ ପରେ ନିଷ୍ପତ୍ତି ନେଇଥିଲେ ସରକାର

ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ଚାକିରି ଆଶାୟୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା। ଏହାସହ ସିବିଆଇ ତଦନ୍ତ ଦାବି ମଧ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ହେମନ୍ତ ସୋରେନ ସରକାର ୨୨ଟି ନିଯୁକ୍ତି ପରୀକ୍ଷା ବାତିଲ କରିବା ସହ କେତେକ ପରୀକ୍ଷାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏବେ ହାଇକୋର୍ଟଙ୍କ ରୋକ ପରେ ଏହି ପରୀକ୍ଷାଗୁଡ଼ିକର ଭବିଷ୍ୟତ ଏବଂ ସଫଳ ପ୍ରାର୍ଥୀଙ୍କ ନିଯୁକ୍ତିକୁ ନେଇ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ନଜର ରହିଛି।