ତିରୁବନନ୍ତପୁରମ୍: କେରଳରେ ମୌସୁମୀ ବର୍ଷା ଆରମ୍ଭ ହେବା ସହ ‘ଲେପ୍ଟୋସ୍ପାଇରୋସିସ୍’ (Leptospirosis) ବା ‘ରାଟ୍ ଫିଭର୍’ (Rat Fever) ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ସରକାରୀ ସଂଖ୍ୟା ଅନୁଯାୟୀ, ୨୦୨୬ ଜୁଲାଇ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧,୩୫୨ ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ୫୮ ଜଣଙ୍କର ମୃତ୍ୟୁ ଘଟିସାରିଛି।
ଏହି ରୋଗ ‘ଲେପ୍ଟୋସ୍ପାଇରା’ ନାମକ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଥାଏ। ବର୍ଷା ଦିନେ ମୂଷା ଓ ଅନ୍ୟ ସଂକ୍ରମିତ ପଶୁଙ୍କ ପରିସ୍ରା ଦ୍ୱାରା ଦୂଷିତ ହୋଇଥିବା ଜଳ କିମ୍ବା ଓଦା ମାଟି ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷ ଶରୀରକୁ ଏହି ଜୀବାଣୁ ପ୍ରବେଶ କରିଥାନ୍ତି। ବିଶେଷ କରି ଚାଷକାମ କରୁଥିବା କୃଷକ, ବଗିଚା କାମ କରୁଥିବା ଲୋକ ଏବଂ ବାହାରେ ପରିଶ୍ରମ କରୁଥିବା ଶ୍ରମିକମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
ହସ୍ପିଟାଲ୍ ରିପୋର୍ଟ ଏବଂ ଡେଥ୍ ଅଡିଟ୍ ତଥ୍ୟରୁ ଜଣାପଡ଼ିଛି ଯେ ୪୦ ରୁ ୬୯ ବର୍ଷ ବୟସ୍କ ବ୍ୟକ୍ତିମାନେ ଏହି ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି।

ଗତ କିଛି ବର୍ଷ ହେବ କେରଳରେ ଏହି ରୋଗରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୬ ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୩୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୨୦୨୧ ରୁ ୨୦୨୫ ମଧ୍ୟରେ ମୃତ୍ୟୁହାର ୪.୨ ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ ୬ ପ୍ରତିଶତରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଜଳ ଓ ଦୂଷିତ ମାଟିରୁ ଦୂରେଇ ରହିବା, କାମ କରିବା ସମୟରେ ଗ୍ଲୋଭସ୍ ଓ ଗୋଡ଼ରେ ବୁଟ୍ ପିନ୍ଧିବା ଏବଂ ଜ୍ୱର କିମ୍ବା ମାଂସପେଶୀ ବିନ୍ଧା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।




