ମୁମ୍ବାଇ: ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ମହାରାଷ୍ଟ୍ର ସରକାର ‘ଏନାଲଗ୍’ କିମ୍ବା ନକଲି ପନୀରର ଉତ୍ପାଦନ, ବିକ୍ରି ଓ ବିତରଣ ଉପରେ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଜାରି ହୋଇଥିବା ଏହି ନିଷ୍ପତ୍ତି ଜୁଲାଇ ୩୦ରୁ କାର୍ଯ୍ୟକାରୀ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ପନୀର ନମୁନାର ଲାବୋରେଟରୀ ପରୀକ୍ଷାରେ ୩୫ ପ୍ରତିଶତରୁ ଅଧିକ ନମୁନାରେ କ୍ଷୀର ଚର୍ବି ବଦଳରେ ଭେଜିଟେବୁଲ ଫ୍ୟାଟ୍ ବ୍ୟବହାର ହୋଇଥିବା ଜଣାପଡ଼ିବା ପରେ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି।

ନୂଆ ଆଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ସଂସ୍ଥା ଏବଂ କ୍ଲାଉଡ୍ କିଚେନରେ ନକଲି ପନୀରର ବ୍ୟବହାର, ପ୍ରସ୍ତୁତି, ପରିବେଷଣ ଓ ମହଜୁଦ ରଖିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ ହୋଇଛି।

ଏଫଡିଏର ତଦନ୍ତରୁ ଜଣାପଡ଼ିଛି ଯେ, ଅନେକ ଭୋଜନାଳୟ ଗ୍ରାହକଙ୍କୁ ସୂଚନା ନ ଦେଇ ପ୍ରକୃତ କ୍ଷୀର ପନୀର ବଦଳରେ ଶସ୍ତା ଏନାଲଗ୍ ପନୀର ବ୍ୟବହାର କରୁଥିଲେ। ଏପରିକି ମେନୁ କାର୍ଡରେ ମଧ୍ୟ ଏହାର କୌଣସି ଉଲ୍ଲେଖ ରହୁନଥିଲା, ଯାହା ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିଲା।

ସରକାର ସ୍ପଷ୍ଟ କରିଛନ୍ତି ଯେ, ପ୍ରକୃତ ପନୀର ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ର ପ୍ୟାକେଜିଂ ଓ ଲେବଲିଂ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

ଅଲ୍ ଇଣ୍ଡିଆ ଫୁଡ୍ ଆଣ୍ଡ୍ ଡ୍ରଗ୍ ଲାଇସେନ୍ସ ହୋଲ୍ଡର୍ସ ଫାଉଣ୍ଡେସନ୍‌ର ସଭାପତି ଅଭୟ ପାଣ୍ଡେ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଦୀର୍ଘ ଦିନ ଧରି ନକଲି ପନୀର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି ହେଉଥିଲା। ବର୍ତ୍ତମାନ ଏଫଡିଏର ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ସରକାର ସତର୍କ କରାଇଛନ୍ତି ଯେ, ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ସାମଗ୍ରୀ ଜବତ ଓ ନଷ୍ଟ କରାଯିବା ସହ ଭାରି ଜରିମାନା ମଧ୍ୟ ଲାଗୁ କରାଯିବ।