ସିଲିଗୁଡ଼ି: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସିଲିଗୁଡ଼ି ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏହି ଏଫଆଇଆର ଦାୟର କରାଯାଇଛି। ଆଡଭୋକେଟ୍ ରିଙ୍କି ଚାଟାର୍ଜୀ ସିଂ (ରିଙ୍କି ଚଟ୍ଟୋପାଧ୍ୟାୟ) ଙ୍କ ବାରମ୍ବାର ଅନୁରୋଧ ଓ ଫଲୋ-ଅପ୍ ପରେ ପୋଲିସ ମେ ୨୦ ତାରିଖରେ ଏହି ମାମଲା ପଞ୍ଜିକୃତ କରିଛି। ଅଭିଯୋଗ ଅନୁଯାୟୀ, ମମତା ବାନାର୍ଜୀ ୨୦୨୫ର ଏକ ଧାର୍ମିକ କାର୍ଯ୍ୟକ୍ରମ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଧର୍ମତଲା ପ୍ରତିବାଦ ସଭାରେ ବିବାଦୀୟ ବୟାନ ଦେଇଥିଲେ।

ଓକିଲଙ୍କ କହିବା ଅନୁସାରେ, ମମତା ନିଜ ଭାଷଣରେ କହିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଚାହିଁଲେ ମାତ୍ର କେଇ ମିନିଟ୍ ମଧ୍ୟରେ ଅନ୍ୟମାନଙ୍କୁ “ଶେଷ କରିଦେଇପାରେ”। ଏଭଳି ବକ୍ତବ୍ୟ ସମ୍ବିଧାନ ବିରୋଧୀ ଏବଂ ଏହା ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି ସନାତନୀ ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସ ଓ ଭାବନାକୁ ଗଭୀର ଆଘାତ ଦେଇଛି। ଏହାସହ ନିର୍ବାଚନ ସମୟରେ ଭୟର ବାତାବରଣ ସୃଷ୍ଟି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି ପ୍ରୟାସ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତାର ଏକାଧିକ ଗୁରୁତର ଧାରା ଆଧାରରେ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ଦାୟର ହୋଇଛି, ଯେଉଁଥିରେ ସାମିଲ ରହିଛି: ଅପରାଧିକ ଧମକ ଚମକ, ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ ମନଗଢ଼ା ଓ ଅପମାନଜନକ ମନ୍ତବ୍ୟ ଗୁଜବ ଓ ମିଥ୍ୟା ସୂଚନା ପ୍ରସାର କରି ସାମ୍ପ୍ରଦାୟିକ ସଦ୍ଭାବ ବିଗାଡ଼ିବା, ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ଏବଂ ମାନହାନି। ସିଲିଗୁଡ଼ି ପୋଲିସ କମିଶନରେଟ୍‌ର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ଆନୁଷ୍ଠାନିକ ଭାବେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ FIR ରେ ଉଲ୍ଲେଖ ଥିବା ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି। ବିଧାନସଭା ନିର୍ବାଚନ ପରେ ବଙ୍ଗଳା ରାଜନୀତିରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଏକ ନୂଆ ମୋଡ଼ ଆଣିଛି।