ଜମ୍ମୁ: ତିରଙ୍ଗା ଯାତ୍ରାରେ ସାମିଲ ହୋଇ ଫେରୁଥିବା ବେଳେ ଜମ୍ମୁରେ ଘଟିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା। ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲ ନିକଟସ୍ଥ ଫ୍ଲାଏଓଭର ଉପରେ ଏକ ମିନିବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଅତିକମରେ ୨୮ ଜଣ ଯୁବତୀ ଆହତ ହୋଇଛନ୍ତି। ରବିବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ୧୮ରୁ ୨୫ ବର୍ଷ ବୟସର ଏହି ଯୁବତୀମାନେ ଜମ୍ମୁର ବାହୁ ଫୋର୍ଟରୁ ମୁବାରକ ମଣ୍ଡି ପର୍ଯ୍ୟନ୍ତ ଆୟୋଜିତ ‘ତିରଙ୍ଗା ଯାତ୍ରା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ମିନିବସ୍‌ ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିବା ସମୟରେ ଫ୍ଲାଏଓଭର ଉପରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଆହତମାନଙ୍କୁ ତୁରନ୍ତ ସରକାରୀ ମେଡିକାଲ କଲେଜ (GMC) ହସ୍ପିଟାଲକୁ ନିଆଯାଇଥିଲା।

ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆହତ ଯୁବତୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯିବ। ତେବେ ଦୁଇଜଣ ଯୁବତୀ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ବିଶେଷ ଚିକିତ୍ସା ଯୋଗାଇ ଦିଆଯାଉଛି।

ଆହତ ଯୁବତୀମାନେ ବିଜେପି ସହ ଜଡ଼ିତ କେତେକ ସାମାଜିକ ସଂସ୍ଥା (NGO) ଦ୍ୱାରା ପରିଚାଳିତ ‘ନାରୀ ବୀରାଙ୍ଗନା’ ପ୍ରକଳ୍ପର ସଦସ୍ୟା ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ବିଜେପି ନେତା ତଥା ବିଧାୟକ ଯୁଦ୍ଧବୀର ସେଠୀ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ, ଏହି ଦୁର୍ଘଟଣାକୁ ନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତ ଯୁବତୀମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ମାଗଣା ଚିକିତ୍ସା ଓ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।