ନାଗପୁର: ନିଟ୍‌-ୟୁଜି ପୁନଃପରୀକ୍ଷା ପୂର୍ବରୁ ନାଗପୁରର ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଆବୁଧାବି ପରୀକ୍ଷା କେନ୍ଦ୍ର ଉଲ୍ଲେଖ ହେବା ଘଟଣା ନୂଆ ମୋଡ଼ ନେଇଛି। ପ୍ରଥମେ ଏହାକୁ ବୈଷୟିକ ତ୍ରୁଟି ବୋଲି କୁହାଯାଉଥିବାବେଳେ, ଏବେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଛି ଯେ ପରୀକ୍ଷାର୍ଥୀ ନିଜେ ଆବୁଧାବି ଓ ଦୁବାଇକୁ କେନ୍ଦ୍ର ପସନ୍ଦ ଭାବେ ଚୟନ କରିଥିଲେ।

ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ମେ ୨୧ରେ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ପରିବର୍ତ୍ତନ ସେହି ଆଇପି ଠିକଣାରୁ କରାଯାଇଥିଲା, ଯାହା ପୂର୍ବରୁ ମେ ୩ର ପରୀକ୍ଷା ଆଡମିଟ୍‌ କାର୍ଡ ଡାଉନଲୋଡ୍ ପାଇଁ ବ୍ୟବହୃତ ହୋଇଥିଲା। ସେହି ସମାନ ଆଇପିରୁ ପରେ ରିଫଣ୍ଡ ସମ୍ପର୍କିତ ବ୍ୟାଙ୍କ ବିବରଣୀ ଅପଡେଟ୍‌, ସହର ସୂଚନା ସ୍ଲିପ୍ ଦେଖିବା ଏବଂ ନୂଆ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ ମଧ୍ୟ କରାଯାଇଥିଲା।

ବିବାଦରେ ଥିବା ଛାତ୍ର ଅବଦୁଲ୍ଲା ମହମ୍ମଦ ତାଲିବ ପୁନଃପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବା ପରେ ଦେଖିଥିଲେ ଯେ ତାଙ୍କ ପରୀକ୍ଷା କେନ୍ଦ୍ର ଭାରତ ବଦଳରେ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ରହିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଥିଲା।

ଅନ୍ୟପକ୍ଷରେ ଛାତ୍ରଙ୍କ ପରିବାର ପକ୍ଷରୁ ଦାବି କରାଯାଇଥିଲା ଯେ, ସେମାନେ ନାଗପୁର, ୱର୍ଦ୍ଧା ଓ ଭଣ୍ଡାରାକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିଲେ ଏବଂ ବିଦେଶୀ କେନ୍ଦ୍ର ଚୟନ କରିନଥିଲେ। ଛାତ୍ରଙ୍କ ବାପା କହିଥିଲେ ଯେ, ଆଡମିଟ୍‌ କାର୍ଡ ଦେଖି ସେମାନେ ଚମକିଯାଇଥିଲେ, କାରଣ ଛାତ୍ରଙ୍କ ପାଖରେ ପାସପୋର୍ଟ ମଧ୍ୟ ନଥିଲା।

ବିବାଦ ବଢ଼ିବା ପରେ ଏନ୍‌ଟିଏ ପୂର୍ବରୁ କହିଥିଲା ଯେ ଛାତ୍ରଙ୍କ ପାଇଁ ଭାରତରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯିବ ଏବଂ ସଂଶୋଧିତ ଆଡମିଟ୍‌ କାର୍ଡ ଜାରି କରାଯିବ।

ଏହି ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏନ୍‌ଟିଏକୁ ସମାଲୋଚନା କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନ କରିବାକୁ କହିଥିଲେ। ଏବେ ଏନ୍‌ଟିଏର ନୂଆ ସ୍ପଷ୍ଟୀକରଣ ଏହି ବିବାଦକୁ ଆଉ ନୂଆ ଦିଗକୁ ନେଇଛି।