କାଠମାଣ୍ଡୁ: ନେପାଳର ଭୋଟେ କୋଶୀ ଅଞ୍ଚଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଶୁକ୍ରବାର ଜାତୀୟ ବିପର୍ଯ୍ୟୟ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (NDRRMA) ଦ୍ୱାରା ଜାରି ନୂତନ ତଥ୍ୟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି ପାଇଛି। ଏହାସହ ୯୭୭ ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଅପତ୍ତା ବା ନିଖୋଜ ଅଛନ୍ତି।

ବନ୍ୟାର କାରଣ ଓ କ୍ଷତିର ମାତ୍ରା:

ନେପାଳ ଏବଂ ଚୀନ୍ ସୀମାନ୍ତ ନଦୀର ଉପରମୁଣ୍ଡରେ ହିମସ୍ଖଳନ ଯୋଗୁଁ ଏହି ବନ୍ୟା ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଉଛି। ବନ୍ୟାର ପ୍ରବଳ ସ୍ରୋତରେ ନଦୀକୂଳିଆ ଜନବସତି, ରାସ୍ତାଘାଟ, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧୋଇଯାଇଛି।

ବିଭିନ୍ନ ଜିଲ୍ଲାରୁ ଉଦ୍ଧାର ହୋଇଥିବା ମୃତଦେହ:

ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଚିତ୍‌ୱାନ୍ ଜିଲ୍ଲା, ଯେଉଁଠାରୁ ୧୭୮ଟି ମୃତଦେହ ଉଦ୍ଧାର କରାଯାଇଛି।

  • ନୱଲପରାସୀ ଇଷ୍ଟ: ୧୧୦
  • ଗୋର୍ଖା: ୪୪
  • ନୁୱାକୋଟ: ୩୭
  • ତନହୁନ୍: ୨୮
  • ନୱଲପରାସୀ ୱେଷ୍ଟ: ୨୭
  • ଧାଡିଙ୍ଗ: ୨୩
  • ରସୁୱା: ୧୨

୫୧୭ ଜଣ ବିଦେଶୀ ନାଗରିକ ନିଖୋଜ:

ନିଖୋଜ ୯୭୭ ଜଣଙ୍କ ମଧ୍ୟରେ ୫୧୭ ଜଣ ବିଦେଶୀ ନାଗରିକ ଅଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରାୟ ୨୯୦ ଜଣ ଭାରତୀୟଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଏହାସହ ୯୦ ଜଣ ଆମେରିକୀୟ ଏବଂ ୧୦୦ ଜଣ ଚୀନ୍ ନାଗରିକ ନିଖୋଜ ଥିବା କୁହାଯାଇଛି। ନିଖୋଜଙ୍କ ମଧ୍ୟରେ ୨୮ ଜଣ ନେପାଳ ପୋଲିସ୍, ୪୫ ଜଣ ନେପାଳ ସେନା ଏବଂ ୧୩ ଜଣ ସଶସ୍ତ୍ର ପୋଲିସ ବାହିନୀର ଯବାନ ମଧ୍ୟ ସାମିଲ ଅଛନ୍ତି। ଏହି ବନ୍ୟାରେ ଅତିକମରେ ୭୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ୧୩,୨୯୫ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩,୨୫୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ହେଲିକପ୍ଟର ଜରିଆରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ବେସରକାରୀ ଭାବେ ଛୋଟ ଗାଡ଼ିରେ ରିଲିଫ୍ ଧରି ନ ଆସି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସହାୟତା ପ୍ରଦାନ କରନ୍ତୁ। ବିନା ସମନ୍ୱୟରେ ଗାଡ଼ି ଆସିବା ଫଳରେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି, ଯାହା ଆମ୍ବୁଲାନ୍ସ ଏବଂ ମୁଖ୍ୟ ଉଦ୍ଧାରକାରୀ ଦଳର ଗତିପଥକୁ ବାଧାପ୍ରାପ୍ତ କରୁଛି।