କାଠମାଣ୍ଡୁ: ନେପାଳର ସୁନସରୀ ଜିଲ୍ଲାରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ଏବେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିବା ରିପୋର୍ଟ ମିଳୁଛି। ଗତ କିଛି ଦିନ ଧରି ଚାଲିଥିବା ସଂଘର୍ଷ, ପୋଡ଼ାଜଳା ଏବଂ ହିଂସା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ଏକାଧିକ ସହରରେ କର୍ଫ୍ୟୁ ଜାରି କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ–ନେପାଳ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ହିଂସାରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳିମାଡ଼ ଓ ପଥରମାଡ଼ରେ ଶତାଧିକ ପ୍ରଦର୍ଶନକାରୀ, ସ୍ଥାନୀୟ ବାସିନ୍ଦା ଏବଂ ସୁରକ୍ଷାକର୍ମୀ ଆହତ ହୋଇଥିବା ଦାବି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ନେପାଳ ସେନା ଓ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଥିବା ସହ ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ନଜରଦାରି ଚାଲିଥିବା ସୂଚନା ମିଳିଛି।
ବିବାଦ ପରେ ହିଂସା ବ୍ୟାପିଥିବା ଦାବି
ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସୁନସରୀ ଜିଲ୍ଲାର ଦେବାନଗଞ୍ଜ ଅଞ୍ଚଳରେ ଏକ ମନ୍ଦିର ସଂଲଗ୍ନ ଜମିରେ ଲଗାଯାଇଥିବା ପତାକାକୁ କେନ୍ଦ୍ର କରି ପୂର୍ବରୁ ବିବାଦ ଚାଲିଥିଲା। ପରେ ଏକ ଧାର୍ମିକ ଯାତ୍ରା ସମୟରେ ସଂଘର୍ଷ ଆରମ୍ଭ ହୋଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବଢ଼ିଥିବା ଦାବି କରାଯାଉଛି।
ଏହା ପରେ ଅନେକ ସ୍ଥାନରେ ପଥରମାଡ଼, ଭଙ୍ଗାରୁଜା ଓ ଅଗ୍ନିସଂଯୋଗ ଘଟଣା ଘଟିଥିବା ଖବର ମିଳିଛି। ପରିସ୍ଥିତି ଅବନତି ହେବା ପରେ ଜନକପୁର, ସିରାହା, ଗୋଲବଜାର ଏବଂ ଲହାନ ସମେତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ କରାଯାଇଛି। କିଛି ସ୍ଥାନରେ ଇଣ୍ଟରନେଟ୍ ସେବା ଉପରେ ମଧ୍ୟ କଟକଣା ଲଗାଯାଇଥିବା ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ ଶାନ୍ତି ପାଇଁ ଆହ୍ୱାନ
ଦେଶରେ ଉପୁଜିଥିବା ଏହି ପରିସ୍ଥିତିକୁ ନେଇ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଚିନ୍ତା ପ୍ରକାଶ କରି ସମସ୍ତ ନାଗରିକଙ୍କୁ ଶାନ୍ତି, ସାମାଜିକ ସଦ୍ଭାବ ଓ ଧାର୍ମିକ ସହିଷ୍ଣୁତା ବଜାୟ ରଖିବାକୁ ଆହ୍ୱାନ ଜଣାଇଛନ୍ତି।
ଅନ୍ୟପକ୍ଷରେ, ହିଂସାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ବୋଲି ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହି ସମାଲୋଚନା ଉପରେ ସରକାରଙ୍କ ବିସ୍ତୃତ ପ୍ରତିକ୍ରିୟା ଆସିବା ବାକି ରହିଛି।
ସାଧାରଣ ଜୀବନ ପ୍ରଭାବିତ
ସୁରକ୍ଷା ବଳ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବଜାର, ଶିକ୍ଷାନୁଷ୍ଠାନ ଓ ପରିବହନ ସେବା ପ୍ରଭାବିତ ହୋଇଛି। ପ୍ରଶାସନ ଲୋକଙ୍କୁ ଗୁଜବରୁ ଦୂରେଇ ରହିବା ଏବଂ କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଅନୁରୋଧ କରିଛି।




