କାଠମାଣ୍ଡୁ: ଦୁଇ ଦେଶ ମଧ୍ୟରେ ସୀମାପାର ଗମନାଗମନକୁ ସୁଗମ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନେପାଳ ସରକାର ନିଜର ଜାତୀୟ ପରିଚୟ ପତ୍ର କୁ ବୈଧ ଯାତ୍ରା ଦସ୍ତାବିଜ ଭାବେ ମାନ୍ୟତା ଦେବାକୁ ଭାରତକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି।

ନେପାଳର ଏହି NID କାର୍ଡ ଭାରତର ଆଧାର କାର୍ଡ ସହ ସମାନ। ଏଥିରେ ଆଙ୍ଗୁଠି ଛାପ, ଚେହେରାର ଫୋଟୋ ଏବଂ ଆଖିର ଆଇରିସ୍ ସ୍କାନ୍ (iris scans) ଭଳି ବାୟୋମେଟ୍ରିକ ତଥ୍ୟ ସୁରକ୍ଷିତ ରହିଥାଏ। ନେପାଳ ସରକାର ନିଜ ଦେଶରେ ପାସପୋର୍ଟ ଆବେଦନ, ଜମି ପଞ୍ଜୀକରଣ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଅନ୍ୟାନ୍ୟ ପ୍ରଶାସନିକ ସେବା ପାଇଁ ଏହି କାର୍ଡକୁ ବାଧ୍ୟତାମୂଳକ କରିସାରିଛନ୍ତି। ପାରମ୍ପରିକ ନାଗରିକତା ପ୍ରମାଣପତ୍ର ପରିବର୍ତ୍ତେ ଏହି ଡିଜିଟାଲ୍ କାର୍ଡର ବ୍ୟବହାର ବୃଦ୍ଧି କରିବା ନେପାଳର ମୁଖ୍ୟ ଉଦ୍ଦେଶ୍ୟ।

ନେପାଳ ଅଧ୍ୟାଗମନ ବିଭାଗ (Department of Immigration) ର ମହାନିର୍ଦ୍ଦେଶକ ରାମଚନ୍ଦ୍ର ତିୱାରୀ ଜଣାଇଛନ୍ତି ଯେ, ଏହି ସମ୍ପର୍କିତ ଏକ ପ୍ରସ୍ତାବ ଭାରତ ସରକାରଙ୍କ ନିକଟକୁ ପଠାଯାଇଛି। ବର୍ତ୍ତମାନ ଭାରତ ଏବଂ ନେପାଳ ମଧ୍ୟରେ ବିମାନ କିମ୍ବା ସ୍ଥଳପଥରେ ଯାତ୍ରା ପାଇଁ ମୁଖ୍ୟତଃ ପାସପୋର୍ଟ ଏବଂ ନାଗରିକତା ପ୍ରମାଣପତ୍ରକୁ ମାନ୍ୟତା ଦିଆଯାଉଛି। NID କୁ ମାନ୍ୟତା ମିଳିଲେ ଏହା ତୃତୀୟ ବୈଧ ଦସ୍ତାବିଜ ଭାବେ ଯୋଡ଼ିହେବ।

ଏହି ପ୍ରସ୍ତାବ ପରେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନେ ନେପାଳ ଅଧ୍ୟାଗମନ କର୍ତ୍ତୃପକ୍ଷଙ୍କ ସହ କାର୍ଡର ବୈଷୟିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡ଼ିକ ନେଇ ସୂଚନା ଆଦାନପ୍ରଦାନ କରିଛନ୍ତି। ତିୱାରୀଙ୍କ କହିବାନୁସାରେ, ପାରମ୍ପରିକ ନାଗରିକତା ପ୍ରମାଣପତ୍ର କେବଳ ଏକ କାଗଜପତ୍ର ହୋଇଥିବା ବେଳେ NID ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ, ଯାହା ଦୁଇ ଦେଶର ସୀମା ସୁରକ୍ଷାରେ ସହାୟକ ହେବ।

ପ୍ରକାଶଯୋଗ୍ୟ ଯେ, ଭାରତ ଓ ନେପାଳ ମଧ୍ୟରେ ଖୋଲା ସୀମା ଥିବାରୁ ଦୁଇ ଦେଶର ନାଗରିକଙ୍କ ପାଇଁ ଭିସାର ଆବଶ୍ୟକତା ନଥାଏ। ନେପାଳର ରାଷ୍ଟ୍ରୀୟ ପରିଚୟପତ୍ର ଓ ପଞ୍ଜୀକରଣ ବିଭାଗ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୪.୫ ନିୟୁତରୁ ଅଧିକ ନାଗରିକ NID ପାଇସାରିଥିବା ବେଳେ ପ୍ରାୟ ୨୦ ନିୟୁତ ଲୋକ ଏଥିପାଇଁ ପଞ୍ଜୀକରଣ କରିସାରିଛନ୍ତି।