ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ NIA ଅଧିକାରୀମାନେ ବିଜୟୱାଡ଼ାର ବିଞ୍ଚିପେଟା ଅଞ୍ଚଳରେ ଖାନତଲାସୀ ଜାରି ରଖିଛନ୍ତି। ଏହି ମାମଲାଟି ନିକଟରେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା।ଏହି ଘଟଣାରେ ପୂର୍ବରୁ ଗତ ଏପ୍ରିଲ ମାସରେ ବିଜୟୱାଡ଼ାର ମହମ୍ମଦ ରହମତୁଲ୍ଲା ଶରୀଫ (୨୩), ମହମ୍ମଦ ଦାନିଶ (୨୭) ଏବଂ ମିର୍ଜା ସୋହେଲ ବେଗ୍ (୨୩)ଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ହାଇଦ୍ରାବାଦର ସୟୀଦା ବେଗମ୍ (୩୮) ଏବଂ କର୍ଣ୍ଣାଟକର ବେଲାରୀରୁ ଅବଦୁଲ ସଲାମଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ଯୋଜନା କରୁଥିବା ନେଇ ସ୍ୱୀକାର କରିଛନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ବିଦେଶୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ବିଦେଶୀ ହ୍ୟାଣ୍ଡଲର ‘ଅଲ-ହକିମ ଶୁକୁର’ର ନିର୍ଦ୍ଦେଶରେ ଭାରତରେ ଅଲ-କାଏଦା (AQIS) ଏବଂ ଆଇସିସ୍ (ISIS) ର ନେଟୱର୍କ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେମାନେ ସୋସିଆଲ ମିଡିଆ ଜରିଆରେ ଶୁକୁର ସହ ଯୋଗାଯୋଗରେ ଥିଲେ ଏବଂ ‘ଅଲ-ମଲିକ ଇସଲାମିକ ୟୁଥ୍’ ନାମକ ଏକ ଗ୍ରୁପ୍ ଗଠନ କରିଥିଲେ।ଯୁବକମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଉସକାଇବାକୁ ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମରେ ‘BENX COM’ ନାମରେ ଗ୍ରୁପ୍ ତିଆରି କରାଯାଇଥିଲା।
ଏହି ଗ୍ରୁପ୍ରେ କିଛି ପାକିସ୍ତାନୀ ନାଗରିକ ମଧ୍ୟ ସଦସ୍ୟ ଥିଲେ, ଯେଉଁମାନେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଯୁବକମାନଙ୍କୁ ତାଲିମ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନ ପଠାଇବାକୁ ମଧ୍ୟ ଯୋଜନା ହୋଇଥିଲା।
ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯେ ‘ଗଜୱା-ଏ-ହିନ୍ଦ’ ମାଧ୍ୟମରେ ଭାରତକୁ ଏକ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ଏବଂ ଭାରତୀୟ ପତାକା ବଦଳରେ ଆଇସିସ୍ ପତାକା ଲଗାଇବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଥିପାଇଁ ସୟୀଦା ବେଗମଙ୍କ ନେତୃତ୍ୱରେ ଏକ ମହିଳା ୱିଙ୍ଗ୍ ଗଠନ କରାଯାଇ ସ୍ନାଇପର ରାଇଫଲ, ବ୍ଲାକ୍ ପାଉଡର ବୋମା ଏବଂ IED ବ୍ୟବହାରର ତାଲିମ ଦେବାକୁ ଯୋଜନା କରାଯାଇଥିଲା।କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ସୋସିଆଲ ମିଡିଆ ଉପରେ ନଜର ରଖି ଏହି ବଡ଼ ଆତଙ୍କବାଦୀ ନେଟୱର୍କର ପର୍ଦ୍ଦାଫାଶ କରିଛି।
ବିଜୟୱାଡ଼ା ପୋଲିସ ଷ୍ଟେସନରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆକ୍ଟ (UAPA), BNS ଏବଂ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ଏଫଆଇଆରରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ୧୨ ଜଣଙ୍କୁ ଅଭିଯୁକ୍ତ କରାଯାଇଛି।




