ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ଶନିବାର ପୁଣେଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠିତ ‘ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ୨୦୨୬’ରେ ସମ୍ମାନିତ କରାଯାଇଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ପୁଣେର ଗୁଲଟେକଡିସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଜିତ ଡୋଭାଲଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ସମେତ ଅନେକ ବରିଷ୍ଠ ନେତା ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଭାରତର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଆତଙ୍କବାଦ ବିରୋଧୀ ଅଭିଯାନ, ସୀମା ସୁରକ୍ଷା ଏବଂ ଗୁପ୍ତ ଅପରେସନରେ ଅତୁଳନୀୟ ଯୋଗଦାନ ପାଇଁ ଡୋଭାଲଙ୍କୁ ଏହି ପୁରସ୍କାର ମିଳିଛି। ଲୋକମାନ୍ୟ ତିଳକ ସ୍ମାରକ ଟ୍ରଷ୍ଟର ସଭାପତି ଡକ୍ଟର ରୋହିତ ତିଳକ ଏହି ପୁରସ୍କାର ଘୋଷଣା କରିଥିଲେ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ମାନପତ୍ର, ସ୍ମାରକୀ ଏବଂ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
୧୯୬୮ ବ୍ୟାଚ୍ର କେରଳ କ୍ୟାଡର ଆଇପିଏସ (IPS) ଅଫିସର ୮୧ ବର୍ଷୀୟ ଅଜିତ ଡୋଭାଲ ଭାରତର ସବୁଠାରୁ ଦୀର୍ଘସମୟ ଧରି ସେବା ଯୋଗାଇ ଦେଇଥିବା NSA। ନିଜର ଦୀର୍ଘ କ୍ୟାରିୟର ମଧ୍ୟରେ ସେ ‘ଅପରେସନ୍ ବ୍ଲାକ୍ ଥଣ୍ଡର’, ‘ଡୋକଲାମ୍ କୂଟନୈତିକ ଆଲୋଚନା’ ଏବଂ ‘ବାଲାକୋଟ୍ ଏୟାର ଷ୍ଟ୍ରାଇକ୍’ ଭଳି ଗୁରୁତ୍ୱପୂର୍ଣ୍ଣ ରଣନୀତିର ମୁଖ୍ୟ କର୍ଣ୍ଣଧାର ଥିଲେ। ସେ ଆଇବି (IB) ର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ମିଜୋରାମ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଏବଂ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ନିଜର ସେବା ଦେଇସାରିଛନ୍ତି।




