ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ତିନି ଦିନ ଧରି ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଅନ୍‌ଲାଇନ୍‌ ଚାଳକ ମଞ୍ଚର ଆନ୍ଦୋଳନ ବୁଧବାର ଉଗ୍ର ରୂପ ନେଇଛି। ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧକୁ ନେଇ ଚାଳକ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଢେଲାପଥର ମାଡ଼ରେ ଏକାଧିକ ଆମ୍‌ ବସ୍‌ ଓ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଲିସର ଲାଠିଚାର୍ଜ ଓ ପାଣିମାଡ଼ରେ ଉଭୟ ପକ୍ଷରୁ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଯେ ପୂର୍ବାହ୍ଣ ପ୍ରାୟ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଶତାଧିକ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାରେ ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ପିଡିପିପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।

ରାସ୍ତା ଅବରୋଧକୁ ନେଇ ବିବାଦ

ବୁଧବାର ସକାଳେ ଶହଶହ ଅନ୍‌ଲାଇନ୍‌ ଚାଳକ ମାଷ୍ଟରକ୍ୟାଣ୍ଟିନ ଛକର ଉଭୟ ପାର୍ଶ୍ୱରେ କାର୍‌ ଓ ଅଟୋ ରଖି ରାସ୍ତା ଅବରୋଧ କରିଥିଲେ। ଏହା ଫଳରେ ଜନପଥରେ ଯାତାୟାତ ବ୍ୟାହତ ହେବା ସହ ଭୁବନେଶ୍ୱର ରେଳଷ୍ଟେସନକୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା।

ପୁଲିସ ଆନ୍ଦୋଳନକାରୀଙ୍କୁ ରାସ୍ତା ଛାଡ଼ିବାକୁ ବୁଝାଇଥିଲେ ମଧ୍ୟ ସେମାନେ ଦାବିରେ ଅଟଳ ରହିଥିଲେ। ଏହାପରେ କିଛି ଆନ୍ଦୋଳନକାରୀ ଆମ୍‌ ବସ୍‌ ଓ ପୁଲିସ ଗାଡ଼ି ଉପରକୁ ଢେଲାପଥର ମାଡ଼ କରିଥିବା ପୁଲିସ କହିଛି। ପଥରମାଡ଼ରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଏହାପରେ ପୁଲିସ ପାଣିମାଡ଼ କରିବା ସହ ଲାଠିଚାର୍ଜ କରିଥିଲା।

ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜନପଥରେ ପାର୍କିଂ ହୋଇଥିବା ୧୪ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ମୋଟ ୧୫ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

୩୦ ଦଫା ଦାବି ନେଇ ଆନ୍ଦୋଳନ

ଅନ୍‌ଲାଇନ୍‌ ଯାତ୍ରୀ ପରିବହନ କମ୍ପାନିଗୁଡ଼ିକ ଉପରେ ସରକାରୀ ନିୟନ୍ତ୍ରଣ, ଟ୍ୟାକ୍ସି ଭଡ଼ା ଓ କମିସନ ଉପରେ ନିୟନ୍ତ୍ରଣ ସମେତ ପ୍ରାୟ ୩୦ ଦଫା ଦାବି ନେଇ ଅନ୍‌ଲାଇନ୍‌ ଚାଳକ ମିଳିତ ମଞ୍ଚ ପକ୍ଷରୁ ତିନି ଦିନ ହେଲା ଆନ୍ଦୋଳନ ଚାଲିଥିଲା।

ମଙ୍ଗଳବାର ଏୟାରପୋର୍ଟ ଛକରେ ମଧ୍ୟ ଆନ୍ଦୋଳନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଯାତ୍ରୀଙ୍କ ଯାତାୟାତରେ ବାଧା ନ ସୃଷ୍ଟି କରି ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଆନ୍ଦୋଳନ କରିବାକୁ ପୁଲିସ ପରାମର୍ଶ ଦେଇଥିଲା।

ପୁଲିସ ଓ ଚାଳକ ମଞ୍ଚର ଭିନ୍ନ ଅଭିଯୋଗ

ମିଳିତ ମଞ୍ଚର ଆବାହକ ଦୀନବନ୍ଧୁ ନାୟକ ଅଭିଯୋଗ କରିଛନ୍ତି ଯେ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିଛି।

ଅନ୍ୟପକ୍ଷରେ, ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଚାଳକମାନଙ୍କୁ କେବଳ ଗୋଟିଏ ଦିନର ଆନ୍ଦୋଳନ ପାଇଁ ଅନୁମତି ମିଳିଥିଲା। ତିନି ଦିନ ଧରି ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରାଯାଉଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଭଙ୍ଗାରୁଜାରେ ସମ୍ପୃକ୍ତ ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରାଯାଇ ପିଡିପିପି ଆକ୍ଟରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।

‘ଆଲୋଚନା ପାଇଁ ସରକାର ପ୍ରସ୍ତୁତ’

ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ଚାଳକ ମଞ୍ଚର ଦାବିକୁ ନେଇ ସରକାର ଦର ନିର୍ଦ୍ଧାରଣ ଓ ଚାର୍ଟ ପ୍ରସ୍ତୁତି ପାଇଁ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରାଇଭରମାନେ କାହାର ପ୍ରରୋଚନାରେ ଆସି ଆଇନ ହାତକୁ ନ ନିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଚାଳକମାନଙ୍କ ସମସ୍ୟା ନେଇ ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି।