ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ୍ ଖାସ୍ ଅଞ୍ଚଳରେ ଏକ ଦୁଃଖଦ ସଡ୍ ସର୍କିଟ୍ ଅଘଟଣ ଘଟିଛି। ଗତ ମେ ୨୭ ତାରିଖ ବିଳମ୍ବିତ ରାତିରେ ଘରେ ଥିବା ଏୟାର କଣ୍ଡିସନର (AC) ମେସିନ୍ରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଓ ବିସ୍ଫୋରଣ ଯୋଗୁଁ ୧୯୮ ବ୍ୟାଚ୍ର ୮୦ ବର୍ଷୀୟ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ (IAS) ଅଧିକାରୀ ଧନେନ୍ଦ୍ର କୁମାରଙ୍କ ଦାରୁଣ ମୃତ୍ୟୁ ଘଟିଛି।
ଦକ୍ଷିଣ ଦିଲ୍ଲୀ ଡିସିପି ଅନନ୍ତ ମିତ୍ତଲଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧:୧୮ ମିନିଟ୍ରେ ଏସି ବିସ୍ଫୋରଣ ହେବା ଫଳରେ ସମ୍ପୂର୍ଣ୍ଣ ରୁମ୍ରେ ପ୍ରବଳ କଳା ଧୂଆଁ ବ୍ୟାପିଯାଇଥିଲା। ରୁମ୍ ଭିତରେ ହିଁ ଅଣିଶ୍ୱାସୀ ହୋଇ ଧନେନ୍ଦ୍ର କୁମାର ଚେତାଶୂନ୍ୟ ହୋଇପଡ଼ିଥିଲେ ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ସମୟରେ ବିଦେଶରୁ ଆସିଥିବା ତାଙ୍କ ପୁଅ ଏବଂ ବୋହୂ ଡ୍ରଇଂ ରୁମ୍ରେ ଥିବାବେଳେ ଏକ ଅଦ୍ଭୁତ ପୋଡ଼ା ଗନ୍ଧ ବାରିପାରିଥିଲେ। ବିପଦକୁ ଆଶଙ୍କା କରି ସେମାନେ ପ୍ରଥମେ ହୁଇଲ୍ଚେୟାର୍ରେ ଥିବା ନିଜ ବୃଦ୍ଧା ମାଆଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ, କିନ୍ତୁ ପ୍ରବଳ ଧୂଆଁ ଯୋଗୁଁ ବାପାଙ୍କ ପାଖରେ ତୁରନ୍ତ ପହଞ୍ଚି ପାରିନଥିଲେ। ଖବର ପାଇ ହାଉଜ୍ ଖାସ୍ ପୋଲିସର ପିସିଆର୍ ଟିମ୍ ତୁରନ୍ତ ପହଞ୍ଚି ତାଙ୍କୁ ହସ୍ପିଟାଲ୍ ପଠାଇଥିଲା ଏବଂ ଦମକଳ ବାହିନୀ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଖୁବ୍ ଶୀଘ୍ର ଘଟଣାସ୍ଥଳର ବୈଦ୍ୟୁତିକ ଯାଞ୍ଚ କରାଯାଇ ତଦନ୍ତର ଫାଇନାଲ୍ ରିପୋର୍ଟ ପ୍ରସ୍ତୁତ କରାଯିବ।




