ନୂଆଦିଲ୍ଲୀ: ସାରା ଦେଶର ଯୁବପିଢ଼ିଙ୍କୁ ନିଶାମୁକ୍ତ ଭାରତ ଗଠନ ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୨ ତାରିଖରେ “ନଶା ମୁକ୍ତ ଯୁବ ଫର୍ ବିକଶିତ ଭାରତ ସଂକଳ୍ପ ଅଭିଯାନ”ର ଶୁଭାରମ୍ଭ କରିବେ। ‘ମାଇଁ ଭାରତ’ ଯୁବ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଏକ ବ୍ୟାପକ ଜନଭାଗୀଦାରୀ ଆନ୍ଦୋଳନ ଭାବେ ସାରା ଦେଶରେ ଆରମ୍ଭ ହେବ।

‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟକୁ ସାକାର କରିବା ପାଇଁ ଯୁବସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବ ବିରୋଧରେ ଏକାଠି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ଏହାର ସୁବାରମ୍ଭ କରିବା ପରେ ଦେଶର ପ୍ରାୟ ୧୦,୦୦୦ ସ୍ଥାନରେ ଏକାସାଙ୍ଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ୧ କୋଟିରୁ ଅଧିକ ଯୁବକଯୁବତୀ ନିଶାମୁକ୍ତି ପାଇଁ ଶପଥ ଗ୍ରହଣ କରିବେ।

ଏହି ଆନ୍ଦୋଳନରେ ‘ମାଏ ଭାରତ’ ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନା (NSS), ଯୁବ କ୍ଲବ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବେସରକାରୀ ସଂସ୍ଥା (NGO), ଶିଳ୍ପ ସଂଘ ଏବଂ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ସାମିଲ ହେବେ। ଏହି ଅଭିଯାନ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ୧୦୦ ସପ୍ତାହଧରୀ ନିରନ୍ତର ଚାଲିବାକୁ ଥିବା ଏକ ଜନ ଆନ୍ଦୋଳନ ଭାବେ ପ୍ରସ୍ତୁତ କରାଯାଇଛି।

ଏହି ଅଭିଯାନ ଅଧୀନରେ ଆଗାମୀ ୧୦୦ ସପ୍ତାହ ପର୍ଯ୍ୟନ୍ତ ପ୍ରତି ରବିବାର ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି- କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ ଏବଂ କଳା ପ୍ରତିଯୋଗିତା ଆୟୋଜିତ ହେବ। କାର୍ଯ୍ୟକ୍ରମର ୫୦, ୭୫ ଏବଂ ୧୦୦ତମ ସପ୍ତାହରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ସ୍ୱେଚ୍ଛାସେବୀ ଓ ସଂସ୍ଥାଗୁଡ଼ିକୁ ସମ୍ମାନିତ କରାଯିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନଶା ମୁକ୍ତ ଭାରତ’ ପରିକଳ୍ପନାକୁ ଦୃଢ଼ କରିବା ପାଇଁ ଆରମ୍ଭ ହେଉଥିବା ଏହି ଅଭିଯାନର ମୂଳ ବାର୍ତ୍ତା ହେଉଛି- “ନିଶାମୁକ୍ତ ଯୁବଶକ୍ତି ହିଁ ବିକଶିତ ଭାରତର ସବୁଠାରୁ ବଡ଼ ସାମର୍ଥ୍ୟ।”