ନୂଆଦିଲ୍ଲୀ: ଦେଶବ୍ୟାପୀ ପରୀକ୍ଷା ଅନିୟମିତତାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ମଧ୍ୟରେ କଂଗ୍ରେସ ଏକ ବଡ଼ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁନ୍ ୧୭ ତାରିଖରୁ ରାଜସ୍ଥାନର କୋଟାରୁ ଏକ ବୃହତ ଛାତ୍ର ସମ୍ମିଳନୀ ସିରିଜ୍‌ର ନେତୃତ୍ୱ ନେବେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି କଥିତ “ପରୀକ୍ଷା ଦୁର୍ନୀତି” ଏବଂ ବ୍ୟବସ୍ଥାଗତ ବିଫଳତା ବିରୋଧରେ ଦେଶର ଯୁବପିଢ଼ିଙ୍କୁ ଏକଜୁଟ୍ କରିବା।

କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି ଯେ କୋଟା ପରେ ଆସନ୍ତା ଜୁଲାଇ 10 ରେ ଆଲାହାବାଦ, ଜୁଲାଇ 11 ରେ ପାଟନା ଏବଂ ଜୁଲାଇ 14 ରେ ଦିଲ୍ଲୀରେ ପରବର୍ତ୍ତୀ ସମ୍ମିଳନୀଗୁଡ଼ିକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଚାକିରି ଆଶାୟୀ, ଶିକ୍ଷାବିତ୍ ଏବଂ ଯୁବ ସଂଗଠନଗୁଡ଼ିକୁ ସାମିଲ କରାଯିବ।

ପ୍ରଶ୍ନପତ୍ର ଲିକ୍ କରୁଥିବା ର‍୍ୟାକେଟ୍ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା।ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି’ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା। କେନ୍ଦ୍ରୀକୃତ ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣି NEET ର ବିକେନ୍ଦ୍ରୀକରଣ କରିବା। ଏହି ସାରା ଦୁର୍ନୀତିର ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ଏହି ଆନ୍ଦୋଳନ ଉଭୟ ଡିଜିଟାଲ ଏବଂ ପ୍ରତ୍ୟକ୍ଷ ଭାବେ ଚାଲିବ। କ୍ୟାମ୍ପସ ଡ୍ରାଇଭ୍, କୋଚିଂ ସେଣ୍ଟରଗୁଡ଼ିକରେ ଆଲୋଚନା ସହ ସୋସିଆଲ ମିଡିଆ ମାଧ୍ୟମରେ ଯୁବକମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି।

NSUI, ଯୁବ କଂଗ୍ରେସ ଏବଂ ସ୍ଥାନୀୟ ଦଳୀୟ ସଂଗଠନଗୁଡ଼ିକ ବ୍ୟାପକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରି ଏହି ଲଢ଼େଇକୁ ରାଜପଥକୁ ଓହ୍ଲାଇବେ। ପରୀକ୍ଷା ବିଳମ୍ବ ଓ ନିଯୁକ୍ତିରେ ଅନିୟମିତତାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଆୟୁଧ କରି କଂଗ୍ରେସ ନିଜକୁ ସେମାନଙ୍କର ପ୍ରକୃତ ସ୍ୱର ଭାବେ ପ୍ରତିଷ୍ଠିତ କରିବାକୁ ପ୍ରୟାସ କରୁଛି।