ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୋଧପୁର କେନ୍ଦ୍ରୀୟ ଜେଲ୍ ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆସାରାମଙ୍କୁ ପୂର୍ବଭଳି ଆଲକାଲାଇନ୍ ପାଣି (alkaline water), ବାହାର ଖାଦ୍ୟ, ସ୍ୱତନ୍ତ୍ର ବେଡ୍ ଏବଂ ଶେଯ ଭଳି ଚିକିତ୍ସା ତଥା ଅନ୍ୟାନ୍ୟ ସହାୟକ ସୁବିଧା ଯୋଗାଇ ଦିଆଯାଉ। ଚଳିତ ବର୍ଷ ମେ ୨୮ ତାରିଖରେ ଆସାରାମ ଜେଲ୍‌ରେ ଆତ୍ମସମର୍ପଣ କରିବା ପରେ ଜେଲ୍ ପ୍ରଶାସନ ତାଙ୍କର ଏହି ସବୁ ସୁବିଧା ପ୍ରତ୍ୟାହାର କରିନେଇଥିଲା, ଯାହାକୁ ଏବେ କୋର୍ଟ ପୁନଃବହାଲ କରିଛନ୍ତି।

ଆସାରାମଙ୍କ ପକ୍ଷରୁ ଦାୟର ହୋଇଥିବା ଏକ କ୍ରିମିନାଲ୍ ରୀଟ୍ ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ପ୍ରକାଶ ପୁରୋହିତଙ୍କ ଏକକ ବେଞ୍ଚ ଏହି ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ: “କେବଳ ଜଣେ କଏଦୀଙ୍କ ଆବେଦନର ଫଇସଲା ହୋଇଯିବା ଦ୍ୱାରା ତାଙ୍କର ବୟସ କିମ୍ବା ଶାରୀରିକ ସମସ୍ୟା ଶେଷ ହୋଇଯାଏ ନାହିଁ। ମାନବିକ ଅଧିକାର ଏବଂ ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଦ୍ୱାରା ପୂର୍ବରୁ ମିଳିଥିବା ସୁବିଧାଗୁଡ଼ିକ ଜାରି ରହିବା ଉଚିତ।

ଅଦାଲତରେ ଆସାରାମଙ୍କ ଓକିଲ ଆର.ଏସ୍. ସାଲୁଜା ଏବଂ ୟଶପାଲ ସିଂହ ରାଜପୁରୋହିତ ଯୁକ୍ତି ଦର୍ଶାଇଥିଲେ ଯେ, ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ସତ୍ତ୍ୱେ ଜେଲ ପ୍ରଶାସନ ସୁବିଧାଗୁଡ଼ିକୁ ବନ୍ଦ କରିଦେଇଥିଲା। କୋର୍ଟରେ ଦାଖଲ ହୋଇଥିବା ମେଡିକାଲ୍ ରିପୋର୍ଟ ଅନୁଯାୟୀ, ୮୫ ବର୍ଷୀୟ ଆସାରାମ ହୃଦରୋଗ, ମଧୁମେହ, କିଡନୀ ଜନିତ ସମସ୍ୟା, ଅଷ୍ଟିଓପୋରୋସିସ୍ (ହାଡ଼ ଦୁର୍ବଳ ହେବା) ଏବଂ ମାଂସପେଶୀ ଜନିତ ଅନେକ ଦୀର୍ଘକାଳୀନ ରୋଗରେ ପୀଡ଼ିତ ଅଛନ୍ତି।

ପୂର୍ବ ନିୟମ ଅନୁଯାୟୀ ଆସାରାମଙ୍କୁ ବାହାରୁ ଦିନକୁ ଗୋଟିଏ ଓଳି ଖାଦ୍ୟ ଏବଂ ଆଲକାଲାଇନ୍ ପାଣି ଯୋଗାଇବା ପାଇଁ ଅନୁମତି ମିଳିଛି। ଜେଲ୍‌ରେ ଆସାରାମଙ୍କ ଦେଖାଶୁଣା ପାଇଁ ଦୁଇଜଣ ସହାୟକ ରହିବେ। ତେବେ ଆସାରାମ ନିଜ ପସନ୍ଦର ସହାୟକ ରଖିବାକୁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ଜେଲ୍ ପ୍ରଶାସନ ହିଁ ଉପଯୁକ୍ତ ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ଦେବେ। ପ୍ରତି ୧୫ ଦିନରେ ଥରେ ଆସାରାମଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ସଚିତ ଭୋଲା ଜେଲ୍ ଭିତରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ।

ବ୍ୟକ୍ତିଗତ ଆମ୍ବୁଲାନ୍ସ ପାଇଁ ସ୍ଥାୟୀ ଅନୁମତି ମିଳିନଥିଲେ ମଧ୍ୟ କୌଣସି ଜରୁରୀକାଳୀନ ସ୍ଥିତିରେ ଜେଲ୍ ପ୍ରଶାସନ ତୁରନ୍ତ ଉପଯୁକ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରିବେ ନିକଟରେ ଆଜୀବନ କାରାଦଣ୍ଡ ସଜା କାଏମ ରଖିଥିଲେ ହାଇକୋର୍ଟଏହା ପୂର୍ବରୁ ଜଷ୍ଟିସ ଅରୁଣ ମୋଙ୍ଗା ଏବଂ ଜଷ୍ଟିସ ଯୋଗେନ୍ଦ୍ର କୁମାର ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୩ ମସିହାର ଜୋଧପୁର ଆଶ୍ରମ ନାବାଳିକା ସଦାଚାର ମାମଲାରେ ଆସାରାମଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ।

କୋର୍ଟ ସେତେବେଳେ କହିଥିଲେ ଯେ, “ଜେଲର ପ୍ରାଚୀର ଅଭିଯୁକ୍ତକୁ ବନ୍ଦୀ କରି ରଖିପାରେ, କିନ୍ତୁ ପୀଡ଼ିତା ପାଇଁ ଏହା ଆଣିଦେଇଥିବା ଆଜୀବନ ମାନସିକ ଆଘାତକୁ କୌଣସି ପ୍ରାଚୀର ଲିଭାଇ ପାରିବ ନାହିଁ।”ଏହାପରେ ଆସାରାମଙ୍କ ଅନ୍ତରୀଣ ଜାମିନ ଖାରଜ ହୋଇଥିଲା ଏବଂ ସେ ମେ ୨୮ ତାରିଖରେ ଜୋଧପୁର କେନ୍ଦ୍ରୀୟ ଜେଲ୍‌ରେ ଆତ୍ମସମର୍ପଣ କରିଥିଲେ। ତେବେ ସଠିକ୍ ପ୍ରମାଣ ଅଭାବରୁ ଏହି ମାମଲାରେ ସହ-ଅଭିଯୁକ୍ତ ହଷ୍ଟେଲ ୱାର୍ଡେନ ଶିଳ୍ପୀ ଏବଂ ଗୁରୁକୁଳ ନିର୍ଦ୍ଦେଶକ ଶରତ ଚନ୍ଦ୍ରଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।