ଚଣ୍ଡୀଗଡ଼: ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ହରିୟାଣାର ରୋହତକସ୍ଥିତ ସୁନାରିଆ ଜେଲ୍ରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମ୍ ସିଂହଙ୍କୁ ପୁଣିଥରେ ୨୧ ଦିନିଆ ପାରୋଲ୍ ମିଳିଛି। ୨୦୧୭ରେ ଦୋଷୀ ସାବ୍ୟସ୍ତ ହେବା ପରଠାରୁ ଏହା ତାଙ୍କର ୧୭ଶ ଥର ପାଇଁ ଜେଲ୍ରୁ ମୁକ୍ତି।
ଅଫିସିଆଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ରୁ ବାହାରିବା ପରେ ରାମ ରହିମ୍ଙ୍କୁ ସିରସାସ୍ଥିତ ଡେରା ସଚ୍ଚା ସୌଦା ମୁଖ୍ୟାଳୟକୁ ଯିବା ପାଇଁ ଅନୁମତି ଦିଆଯାଇଛି, ଯେଉଁଠାରେ ସେ ଖୁବ୍ଶୀଘ୍ର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ଏହା ପୂର୍ବରୁ ଚଳିତ ବର୍ଷ ମେ ୨୬ ତାରିଖରେ ତାଙ୍କୁ ୩୦ ଦିନିଆ ପାରୋଲ୍ ମିଳିଥିଲା, ଯେଉଁ ସମୟରେ ସେ ସିରସା ଡେରା ମୁଖ୍ୟାଳୟରେ ରହିଥିଲେ। ଏହାଛଡ଼ା ଜାନୁଆରୀରେ ୪୦ ଦିନ ଏବଂ ଅଗଷ୍ଟ ୨୦୨୫ରେ ୪୦ ଦିନର ପାରୋଲ୍ ମିଳିଥିଲା। ସେହିପରି ଅପ୍ରେଲ୍ ୨୦୨୫ରେ ୨୧ ଦିନର ଫର୍ଲୋ ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଜାନୁଆରୀ ୨୦୨୫ରେ ୩୦ ଦିନିଆ ପାରୋଲ୍ ସହ ଅନ୍ୟ ସମୟରେ ମଧ୍ୟ ତାଙ୍କୁ ବହୁଥର ଜେଲ୍ରୁ ଛାଡ଼ିଦିଆଯାଇଛି।
ପଞ୍ଜାବ, ହରିୟାଣା, ରାଜସ୍ଥାନ ସମେତ ଅନ୍ୟ କେତେକ ରାଜ୍ୟରେ ଡେରା ସଚ୍ଚା ସୌଦାର ବହୁ ସଂଖ୍ୟକ ଅନୁଗାମୀ ଅଛନ୍ତି। ବିଶେଷ କରି ହରିୟାଣାର ସିରସା, ଫତେହାବାଦ, କୁରୁକ୍ଷେତ୍ର, କୈଥଲ ଏବଂ ହିସାର ଭଳି ଜିଲ୍ଲାଗୁଡ଼ିକରେ ଏହି ସଂଗଠନର ବ୍ୟାପକ ପ୍ରଭାବ ରହିଛି।
ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ମାସରେ ୨୦୦୨ ମସିହାର ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରୁ ଗୁରମିତ୍ ରାମ ରହିମ୍ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୨୦୧୯ରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଲ ନାଗୁ ଏବଂ ଜଷ୍ଟିସ୍ ବିକ୍ରମ ଅଗ୍ରୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ହତ୍ୟାକାଣ୍ଡରେ ବ୍ୟବହୃତ ଗୁଳି ସମ୍ପର୍କିତ ସାକ୍ଷ୍ୟ ପ୍ରମାଣର ପୁନଃ ତର୍ଜମା କରି ରାମ ରହିମ୍ଙ୍କୁ ଖଲାସ କରିଥିଲେ। ତେବେ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।
ଉଲ୍ଲେଖଯୋଗ୍ୟ, ୨୦୦୨ ଅକ୍ଟୋବରରେ ସିରସାର ସାମ୍ବାଦିକ ଛତ୍ରପତିଙ୍କୁ ଗୁଳିମାଡ଼ କରାଯାଇଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୦୩ରେ ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା।




