ନୂଆଦିଲ୍ଲୀ/ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଚିନି ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଗତ ଏକ ମାସ ମଧ୍ୟରେ ଚିନି ଦର କ୍ୱିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଭୁବନେଶ୍ୱର ପାଇକାରୀ ବଜାରରେ ଏହାର ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି।

ଦିଲ୍ଲୀରେ ଚିନି କିଲୋଗ୍ରାମ ପିଛା ୪୯ ଟଙ୍କା, ମୁମ୍ବାଇରେ ୫୨ ଟଙ୍କା, ପଶ୍ଚିମବଙ୍ଗରେ ୫୫ ଟଙ୍କା, ରାଞ୍ଚିରେ ୫୧ ଟଙ୍କା ଏବଂ ଚେନ୍ନାଇରେ ୫୩ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରର ପାଇକାରୀ ବଜାରରେ ଚିନି କ୍ୱିଣ୍ଟାଲ ପିଛା ୫,୧୫୦ ଟଙ୍କାରେ ବିକ୍ରି ହେଉଛି। ମାସକ ପୂର୍ବରୁ ଏହି ଦର ପ୍ରାୟ ୪,୪୦୦ ଟଙ୍କା ଥିଲା।

ଫଳରେ ଖୁଚୁରା ବଜାରରେ ଚିନି କିଲୋଗ୍ରାମ ପିଛା ୫୫ରୁ ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଚିନି ଦର ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଦରବୃଦ୍ଧି ଉପରେ ଏପର୍ଯ୍ୟନ୍ତ ଲଗାମ ଲାଗିନାହିଁ।

ଉତ୍ପାଦନ ହ୍ରାସ ମୁଖ୍ୟ କାରଣ

ଚିନି ଦର ବୃଦ୍ଧିର ମୁଖ୍ୟ କାରଣ ଭାବେ ଉତ୍ପାଦନ ହ୍ରାସକୁ ଦାୟୀ କରାଯାଉଛି। ଦେଶରେ ଚିନି ଉତ୍ପାଦନ କମିଥିବା ବେଳେ ଏଲ୍‌ ନିନୋ ପ୍ରଭାବ ଯୋଗୁଁ ଆଗାମୀ ଦିନରେ ଉତ୍ପାଦନ ଆହୁରି କମିବାର ଆଶଙ୍କା ରହିଛି। ଏହା ଯୋଗୁଁ ବଜାରରେ ଯୋଗାଣ ଓ ଚାହିଦା ମଧ୍ୟରେ ଅନ୍ତର ବଢ଼ିବାର ଆଶଙ୍କା ରହିଛି।

ଚିନି ଯୋଗାଣ ସ୍ୱାଭାବିକ ରଖିବା ପାଇଁ ଚିନି କଳଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାର୍ଯ୍ୟ ସମୟର ୧୦ରୁ ୧୫ ଦିନ ପୂର୍ବରୁ ଆଖୁ ପେଷା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ଅନ୍ୟପକ୍ଷରେ, ମହଜୁଦ ନିୟନ୍ତ୍ରଣ ପାଇଁ ସରକାର ବ୍ୟବସାୟୀ ଓ ଚିନି କଳଗୁଡ଼ିକ ଉପରେ ଷ୍ଟକ୍‌ ଲିମିଟ୍‌ ଲାଗୁ କରିଛନ୍ତି। ଏଥିସହ ବିଭିନ୍ନ ମିଲ୍‌ରେ ମହଜୁଦ ଯାଞ୍ଚ ମଧ୍ୟ ବଢ଼ାଇ ଦିଆଯାଇଛି।

ତେବେ ଚିନି ଦର ବୃଦ୍ଧି ଜାରି ରହିଲେ ଏହାର ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିପାରେ। ବିଶେଷକରି ମିଠା ପ୍ରସ୍ତୁତିର ଖର୍ଚ୍ଚ ବଢ଼ିବା ଯୋଗୁଁ ଆଗାମୀ ଦିନରେ ବିଭିନ୍ନ ପ୍ରକାର ମିଠାର ଦର ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।