ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଅନ୍ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଯୁକ୍ତିଗତ ତ୍ରୁଟିର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।
ଓଏସ୍ଏମ୍ ବ୍ୟବସ୍ଥାରେ ପରୀକ୍ଷା ଖାତାକୁ ଡିଜିଟାଲ୍ ମାଧ୍ୟମରେ ମୂଲ୍ୟାୟନ କରାଯାଏ। ତେବେ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହି ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସିଥିଲା। ପ୍ରଯୁକ୍ତିଗତ ଓ ମୂଲ୍ୟାୟନଜନିତ ତ୍ରୁଟି ଯୋଗୁଁ କିଛି ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରଭାବିତ ହୋଇଥିବା ଅଭିଯୋଗ କରି ସୁପ୍ରିମ୍କୋର୍ଟରେ ଆବେଦନ ହୋଇଥିଲା। ଏହା ଯୋଗୁଁ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ନାମଲେଖା ମଧ୍ୟ ପ୍ରଭାବିତ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଅଦାଲତରେ ଉପସ୍ଥିତ ହୋଇଥିଲେ। ସରକାର ଏହି ପ୍ରସଙ୍ଗରେ ଏକ ନୋଟ୍ ପ୍ରସ୍ତୁତ କରିଥିବା ସେ କହିଥିଲେ। ତେବେ ନୋଟ୍ଟି ଅଦାଲତରେ ଦାଖଲ କରିବା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଆବଶ୍ୟକ ବୋଲି ସେ ଜଣାଇଥିଲେ। ଏହାପରେ ସୋମବାର ସୁଦ୍ଧା ସରକାରଙ୍କ ପକ୍ଷ ଜଣାଇବାକୁ ଖଣ୍ଡପୀଠ କହିଛନ୍ତି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମୂଲ୍ୟାୟନକୁ ନେଇ ଅଭିଯୋଗ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ସପ୍ତାହ ପାଇଁ ପୁନଃମୂଲ୍ୟାୟନର ସୁଯୋଗ ଦିଆଯାଇଥିଲା। ପ୍ରାୟ ୧.୬୮ ଲକ୍ଷ ଛାତ୍ରଛାତ୍ରୀ ଏହାର ଲାଭ ପାଇଥିବା ସରକାର କହିଛନ୍ତି।
ତେବେ ଆବେଦନକାରୀଙ୍କ ପକ୍ଷର ଓକିଲ ରାକେଶ ବିଞ୍ଜୋଲା ଏହି ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ ବୋଲି ଯୁକ୍ତି ରଖିଥିଲେ। ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିବା ଦର୍ଶାଇ ସେ ପୁନଃମୂଲ୍ୟାୟନ ପାଇଁ ଆଉ ଏକ ସପ୍ତାହ ସମୟ ଦେବାକୁ ଦାବି କରିଥିଲେ। ଅନେକ ଛାତ୍ରଛାତ୍ରୀ ପୁନଃମୂଲ୍ୟାୟନର ସମୟସୀମା ସମ୍ପର୍କରେ ଜାଣିନଥିବାରୁ ଆବେଦନ କରିପାରିନଥିବା ସେ କହିଥିଲେ।
ଏହା ସହିତ, ଆବଶ୍ୟକ ଦସ୍ତାବିଜ ଦାଖଲ କରିପାରିନଥିବା କିମ୍ବା ପ୍ରଯୁକ୍ତିଗତ ସମସ୍ୟା ଯୋଗୁଁ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିନଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବାକୁ ମଧ୍ୟ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି। ଓଏସ୍ଏମ୍ ବ୍ୟବସ୍ଥାରେ ଏଭଳି ସମସ୍ୟା ଯେପରି ଭବିଷ୍ୟତରେ ପୁଣି ନ ଘଟେ, ସେଥିପାଇଁ ସ୍ଥାୟୀ ସମାଧାନ ବାହାର କରିବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି।




