ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ୍‌’ରୁ ବାଦ ପଡ଼ିବା ଘଟଣାକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ପୂର୍ବରୁ ଦୀପିକା ଫିଲ୍ମ ପାଇଁ ଦିନକୁ ୮ ଘଣ୍ଟାର ସୁଟିଂ ସିଫ୍ଟ, ସପ୍ତାହରେ ୫ ଦିନ କାମ ଓ ଅଧିକ ପାରିଶ୍ରମିକ ଦାବି କରିଥିବା ନେଇ ରିପୋର୍ଟ ଆସିଥିଲା। ଏବେ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡି ବାଙ୍ଗା ଏହି ଘଟଣାକୁ ନେଇ ନୂଆ ଦାବି କରିଛନ୍ତି।

ପ୍ରଣୟଙ୍କ କହିବା ଅନୁସାରେ, ଦୀପିକାଙ୍କ ସହ ପ୍ରାୟ ଦେଢ଼ ବର୍ଷ ଧରି ‘ସ୍ପିରିଟ୍‌’କୁ ନେଇ ଆଲୋଚନା ଚାଲିଥିଲା। ତେବେ ପାରିଶ୍ରମିକ ବ୍ୟତୀତ ଦୀପିକା ଫିଲ୍ମର ମୋଟ ଲାଭର ୧୦ ପ୍ରତିଶତ ଅଂଶ ଦାବି କରିଥିବା ସେ ଦାବି କରିଛନ୍ତି। ଫିଲ୍ମର ବଜେଟ୍‌କୁ ଦୃଷ୍ଟିରେ ରଖି ଏହି ଦାବି ପୂରଣ କରିବା ସମ୍ଭବ ନଥିଲା ବୋଲି ପ୍ରଣୟ କହିଛନ୍ତି।

ସେ କହିଛନ୍ତି ଯେ, ଜଣେ ଅଭିନେତା କିମ୍ବା ଅଭିନେତ୍ରୀ ନିଜର ପାରିଶ୍ରମିକ ଓ ଅନ୍ୟାନ୍ୟ ସର୍ତ୍ତ ନେଇ ଦାବି ରଖିପାରନ୍ତି। କିନ୍ତୁ ଏହି ଦାବି ଫିଲ୍ମର ବଜେଟ୍‌ ଓ ନିର୍ମାଣ ଯୋଜନା ସହ ସମନ୍ୱୟ ରଖିବା ଆବଶ୍ୟକ।

ଫିଲ୍ମର ଗୋପନୀୟ ତଥ୍ୟ ଲିକ୍‌ ନେଇ ଅଭିଯୋଗ

ପ୍ରଣୟ ରେଡ୍ଡି ବାଙ୍ଗା ଆହୁରି ଦାବି କରିଛନ୍ତି ଯେ, ଦୀପିକାଙ୍କ ସହ ଫିଲ୍ମର କାହାଣୀ ଓ ତାଙ୍କ ଚରିତ୍ରକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ କଥାବାର୍ତ୍ତା ଆଗକୁ ନବଢ଼ିବା ପରେ ଟିମ୍‌ ଅନ୍ୟ ବିକଳ୍ପ ଖୋଜିବା ଆରମ୍ଭ କରିଥିଲା। ଏହି ସମୟରେ ଫିଲ୍ମ ସମ୍ପର୍କିତ କିଛି ଗୋପନୀୟ ତଥ୍ୟ ମିଡିଆରେ ଲିକ୍‌ ହୋଇଥିବା ସୂଚନା ମିଳିଥିବା ସେ କହିଛନ୍ତି।

ତେବେ ଏହି ଅଭିଯୋଗ ନେଇ ଦୀପିକା ପାଦୁକୋନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଆସିଥିବା ସୂଚନା ନାହିଁ।

୨୦ କୋଟି ପାରିଶ୍ରମିକ ଦାବି ନେଇ ମଧ୍ୟ ଚର୍ଚ୍ଚା

ଏହା ପୂର୍ବରୁ ଦୀପିକା ‘ସ୍ପିରିଟ୍‌’ରୁ ବାହାରିବା ପଛରେ ୮ ଘଣ୍ଟାର ସୁଟିଂ ସିଫ୍ଟ, ପାରିଶ୍ରମିକ ଓ ସପ୍ତାହରେ ୫ ଦିନ କାମ କରିବା ଭଳି ସର୍ତ୍ତକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। କିଛି ରିପୋର୍ଟରେ ଦୀପିକା ୨୦ କୋଟି ଟଙ୍କା ପାରିଶ୍ରମିକ ଦାବି କରିଥିବା ଏବଂ ତେଲୁଗୁ ଭାଷାରେ ସଂଳାପ କହିବାକୁ ଅନିଚ୍ଛା ପ୍ରକାଶ କରିଥିବା ମଧ୍ୟ ଦାବି କରାଯାଇଥିଲା।

ଦୀପିକାଙ୍କ ସ୍ଥାନରେ ପରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ଫିଲ୍ମରେ ନିଆଯାଇଛି।

‘ସ୍ପିରିଟ୍‌’ରେ ପ୍ରଭାସଙ୍କ ସହ ତୃପ୍ତି

ସନ୍ଦୀପ ରେଡ୍ଡି ବାଙ୍ଗାଙ୍କ ନିର୍ଦ୍ଦେଶିତ ‘ସ୍ପିରିଟ୍‌’ରେ ପ୍ରଭାସ, ତୃପ୍ତି ଡିମରୀ ଓ ବିବେକ ଓବେରୟ ପ୍ରମୁଖ ଭୂମିକାରେ ଅଛନ୍ତି। ‘ଆନିମଲ’ର ସଫଳତା ପରେ ସନ୍ଦୀପ ରେଡ୍ଡି ବାଙ୍ଗା ଓ ପ୍ରଭାସଙ୍କ ଏହା ପ୍ରଥମ ସହଯୋଗ। ତେଣୁ ଏହି ଆକ୍ସନ୍‌ ଥ୍ରିଲର୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଫିଲ୍ମଟି ୫ ମାର୍ଚ୍ଚ ୨୦୨୭ରେ ପ୍ରେକ୍ଷାଳୟକୁ ଆସିବାର ସମ୍ଭାବନା ରହିଛି।