ଚେନ୍ନାଇ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA), ୨୦୧୩ରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ଏହି ସଂଶୋଧନକୁ ପ୍ରତ୍ୟାହାର କିମ୍ବା ପୁନର୍ବିଚାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ପରିବର୍ତ୍ତନ ଯୋଗୁଁ ରାଜ୍ୟର ପ୍ରାୟ ୭୦ ଲକ୍ଷ ଗରିବ ଓ ଅସହାୟ ଲୋକଙ୍କ ଖାଦ୍ୟଶସ୍ୟ ପାଇବା ଅଧିକାର ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ପ୍ରକାଶିତ ‘ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍, ୨୦୨୬’ର ଚିଠା ପ୍ରସ୍ତାବ ଅନୁଯାୟୀ, ଆନ୍ତୋଦୟ ଅନ୍ନ ଯୋଜନା (AAY) ଅଧୀନରେ ପରିବାର ପିଛା ମିଳୁଥିବା ମାସିକ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ବଦଳରେ ଏବେ ଜଣ ପ୍ରତି ୭ କିଲୋଗ୍ରାମ ହିସାବରେ ସର୍ବାଧିକ ୩୫ କିଲୋଗ୍ରାମ ମିଳିବ।
ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ତାମିଲନାଡୁରେ ହାରାହାରି ପରିବାର ସଦସ୍ୟ ସଂଖ୍ୟା ମାତ୍ର ୩.୫୪। ତେଣୁ ଏହି ନୂଆ ନିୟମ ଫଳରେ ୫ ଜଣରୁ କମ୍ ସଦସ୍ୟ ଥିବା ପରିବାରଗୁଡ଼ିକ ପୂର୍ବ ଅପେକ୍ଷା ବହୁତ କମ୍ ରାସନ ପାଇବେ। ଏହାଦ୍ବାରା ରାଜ୍ୟର ପ୍ରାୟ ୧୫.୭୫ ଲକ୍ଷ ପରିବାରର ୫୮.୫୧ ଲକ୍ଷ ଲୋକ ସିଧାସଳଖ ପ୍ରଭାବିତ ହେବେ। ଏହି ବର୍ଗରେ ବିଧବା, ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଏବଂ ଭୂମିହୀନ ଶ୍ରମିକମାନେ ଅଛନ୍ତି, ଯେଉଁମାନଙ୍କ ସୁରକ୍ଷା ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିଲା।
ସେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ସଫଳତାର ସହ ଗ୍ରହଣ କରିଛନ୍ତି, ଏହି ନୂଆ ନିୟମ ସେମାନଙ୍କୁ ଦଣ୍ଡିତ କଲା ଭଳି ହେବ। ବର୍ତ୍ତମାନ ତାମିଲନାଡୁ ଏହି ଯୋଜନା ପାଇଁ କେନ୍ଦ୍ରରୁ ମାସିକ ୬୫,୨୬୧ ମେଟ୍ରିକ ଟନ ଖାଦ୍ୟଶସ୍ୟ ମାଗଣାରେ ପାଉଥିବାବେଳେ, ପ୍ରସ୍ତାବିତ ସଂଶୋଧନ ପରେ ଏହା ୪୨,୦୪୦ ମେଟ୍ରିକ ଟନକୁ ହ୍ରାସ ପାଇବ।
ତାମିଲନାଡୁରେ ଚାଉଳ ହେଉଛି ମୁଖ୍ୟ ଖାଦ୍ୟ। ରାସନ ହ୍ରାସ ପାଇଲେ ଗରିବ ପରିବାରଗୁଡ଼ିକ ଖୋଲା ବଜାରରୁ ମହଙ୍ଗା ଦରରେ ଚାଉଳ କିଣିବାକୁ ବାଧ୍ୟ ହେବେ, ଯାହା ସେମାନଙ୍କ ଆର୍ଥିକ ବୋଝ ବଢ଼ାଇବା ସହ ଅପୁଷ୍ଟିର କାରଣ ସାଜିବ। ତେଣୁ ପୂର୍ବଭଳି ପରିବାର ପିଛା ୩୫ କିଲୋଗ୍ରାମର ବ୍ୟବସ୍ଥା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।




