ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ସୋମବାର ଭେଟିଛନ୍ତି ଢାକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଦୁଇ ଦେଶର ସମ୍ପର୍କ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବାଂଲାଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।
ବୈଠକରେ ବାଂଲାଦେଶ ପକ୍ଷରୁ ଭାରତରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଶୀଘ୍ର ପ୍ରତ୍ୟର୍ପଣ କରିବା ପ୍ରସଙ୍ଗ ଉଠାଯାଇଥିବା ଜଣାପଡ଼ିଛି। ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ମଧ୍ୟ ଢାକା ପକ୍ଷରୁ ଭାରତକୁ ଆହ୍ୱାନ କରାଯାଇଛି।
ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆଲୋଚନା
ବୈଠକ ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ କହିଛନ୍ତି ଯେ, ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ବୈଠକରେ ଉଠିଥିଲା। ହସିନାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଭାରତକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।
ବାଂଲାଦେଶ ସରକାର ଆଶା କରୁଛି ଯେ, ଏହି ପ୍ରସଙ୍ଗରେ ଭାରତ ସକାରାତ୍ମକ ପଦକ୍ଷେପ ନେବ।
ଦୁଇ ମାସ ପରେ ପ୍ରଥମ ସାକ୍ଷାତ
ପ୍ରାୟ ଦୁଇ ମାସ ପୂର୍ବେ ଢାକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦିନେଶ ତ୍ରିବେଦୀଙ୍କ ସହ ତାରିକ ରହମାନଙ୍କର ଏହା ପ୍ରଥମ ବୈଠକ ବୋଲି ଜଣାପଡ଼ିଛି। ତାରିକ ରହମାନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ହୁମାୟୁନ୍ କବୀରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଶେଖ୍ ହସିନା ୨୦୨୪ ଅଗଷ୍ଟରୁ ଭାରତରେ ରହୁଛନ୍ତି। ହସିନାଙ୍କ ଭାରତରେ ଅବସ୍ଥାନକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇ ରହିଛି।




