କୋଲକାତା: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସୋନା ପପୁ ସିଣ୍ଡିକେଟ୍ ମାମଲାରେ ଏକ ନୂଆ ମୋଡ଼ ଆସିଛି। ତୃଣମୂଳ କଂଗ୍ରେସ (TMC) ନେତ୍ରୀ ଶ୍ରେୟା ପାଣ୍ଡେ ସୋମବାର ସଲ୍ଟଲେକ୍ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ସିଜିଓ (CGO) କମ୍ପ୍ଲେକ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବତନ ରାଜ୍ୟ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଝିଅ ଶ୍ରେୟାଙ୍କୁ ମଙ୍ଗଳବାର ହାଜର ହେବାକୁ ସମନ କରାଯାଇଥିଲା, ମାତ୍ର ସେ ଦିନକ ପୂର୍ବରୁ ହଠାତ ଇଡି ଅଫିସରେ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଚାଲିଥିବା ତଦନ୍ତ ସମୟରେ ଜବତ ହୋଇଥିବା ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ଡିଜିଟାଲ୍ ଡିଭାଇସ୍ ଯାଞ୍ଚରୁ ଶ୍ରେୟାଙ୍କ ନାମ ସାମ୍ନାକୁ ଆସିଥିଲା। ଅନ୍ୟପଟେ ଶ୍ରେୟା ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ସେ ନିଜ ଇଚ୍ଛାରେ ଇଡି ସାମ୍ନାକୁ ଆସିଛନ୍ତି ଏବଂ ସେ ସୋନା ପପୁ ନାମକ କୌଣସି ବ୍ୟକ୍ତିଙ୍କୁ ଜାଣିନାହାନ୍ତି।
ଇଡି ସୂତ୍ରରୁ ପ୍ରକାଶ ଯେ, ଶ୍ରେୟାଙ୍କ ନିକଟତର କଲ୍ୟାଣ ଶୁକ୍ଲାଙ୍କୁ ପୂର୍ବରୁ ଜେରା କରାଯାଇଥିଲା ଏବଂ ତାଙ୍କ ଘରୁ ଜମି ଜାଲିଆତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଥିଲା। ଏହି ମାମଲାରେ ବ୍ୟବସାୟୀ ଜୟ କାମଦାରଙ୍କୁ ମଧ୍ୟ ଗିରଫ କରାଯାଇଛି। କାଲି ପୂଜା ସମୟରେ ଶ୍ରେୟା ତାଙ୍କ ବାସଭବନକୁ ଯାଇଥିବା ନେଇ ତଦନ୍ତକାରୀ ସଂସ୍ଥା ସୂଚନା ପାଇଛି।
ବିଶ୍ୱଜିତ ପୋଦ୍ଦାର ଓରଫ ସୋନା ପପୁ ବିରୋଧରେ ଜମି ହଡ଼ପ, ଜବରଦସ୍ତି ଚାନ୍ଦା ଆଦାୟ ଏବଂ ଭୟଭୀତ କରିବା ଭଳି ଏକାଧିକ ମାମଲା ରହିଛି। ଗତ ମେ’ ୧୮ ତାରିଖରେ ଇଡି ତାଙ୍କୁ ଗିରଫ କରିଥିଲା। ସେ ଦକ୍ଷିଣ କୋଲକାତାର କସବା ଏବଂ ବାଲିଗଞ୍ଜ ଅଞ୍ଚଳରେ ଅନେକ ବେଆଇନ ସିଣ୍ଡିକେଟ୍ ଚଲାଉଥିବା ସନ୍ଦେହ କରାଯାଉଛି।




