ୱାଶିଂଟନ: ଆମେରିକାର ସାମରିକ ଆକ୍ରମଣ ପରେ ଇରାନ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି ଏବଂ ସେ ଆମ ସହ ଚୁକ୍ତି କରିବାକୁ ବ୍ୟାକୁଳ ହୋଇଉଠିଛି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଆୟୋଜିତ ବାର୍ଷିକ ‘କଂଗ୍ରେସନାଲ୍ ପିକନିକ୍’ କାର୍ଯ୍ୟକ୍ରମରେ ସାଂସଦ ଓ କ୍ୟାବିନେଟ୍ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଏହା କହିଛନ୍ତି। ଏଥିସହ ଇରାନକୁ କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟ୍ରମ୍ପ କହିଛନ୍ତି, “ଆମେ ଇରାନ ସହ ଚାଲିଥିବା ଏହି ବିବାଦକୁ ଖୁବ୍ ଶୀଘ୍ର ଶେଷ କରିବୁ। ସେମାନେ ଏହି ଯୁଦ୍ଧରେ କ୍ଲାନ୍ତ ହୋଇପଡ଼ିଛନ୍ତି ଏବଂ ଚୁକ୍ତି କରିବାକୁ ଚାହୁଁଛନ୍ତି।” ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇରାନର ସାମରିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସେ ଦାବି କରିଛନ୍ତି।
ଟ୍ରମ୍ପଙ୍କ ଅନୁସାରେ, “ଆମେ ଇରାନର ନୌସେନା, ବାୟୁସେନା ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି। ଯୁଦ୍ଧ ପାଇଁ ବ୍ୟବହୃତ ହେଉଥିବା ସେମାନଙ୍କର ସମସ୍ତ ସାମଗ୍ରୀ ଏବେ ଶେଷ ହୋଇଯାଇଛି।” ଏପରିକି ସେମାନଙ୍କ ନେତାମାନେ ମଧ୍ୟ ଏବେ ନାହାନ୍ତି ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।ଏହି ସମାରୋହରେ ଟ୍ରମ୍ପ ନିଜ ସରକାରର ଅର୍ଥନୈତିକ ସଫଳତା ଏବଂ ପ୍ରସ୍ତାବିତ ଟିକସ ରିହାତି ବିଲ୍ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ଏହାସହ ହ୍ୱାଇଟ୍ ହାଉସର ସାଉଥ୍ ଲନ୍ରେ ଏକ ବଡ଼ ଧରଣର ୟୁଏଫସି (UFC) ଫାଇଟିଂ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରୁଥିବା ସେ ଘୋଷଣା କରିଛନ୍ତି, ଯେଉଁଥିରେ ପ୍ରାୟ ୪ ରୁ ୫ ହଜାର ଦର୍ଶକ ସିଧାସଳଖ ଏବଂ ହଜାର ହଜାର ଲୋକ ବଡ଼ ସ୍କ୍ରିନରେ ଏହି ମ୍ୟାଚ୍ ଦେଖିପାରିବେ। ଇରାନ ସହ ଆମେରିକାର ବଢ଼ୁଥିବା ତିକ୍ତତା ଏବଂ ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ମଧ୍ୟରେ ଟ୍ରମ୍ପଙ୍କର ଏହି ବୟାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।




