ୱାଶିଂଟନ୍ / ନୂଆଦିଲ୍ଲୀ: ଆମେରିକାର ରପ୍ତାନି ନିୟନ୍ତ୍ରଣ କୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରମୁଖ AI କମ୍ପାନୀ ‘Anthropic’ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ସରକାରୀ ନିର୍ଦ୍ଦେଶ ପରେ କମ୍ପାନୀ ନିଜର ସବୁଠାରୁ ଆଡଭାନ୍ସଡ AI ମଡେଲ୍ ‘Fable 5’ ଏବଂ ‘Mythos 5’ ର ଆକ୍ସେସକୁ ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ତୁରନ୍ତ ବନ୍ଦ କରିବାକୁ ଯାଉଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।
କମ୍ପାନୀ ଅନୁଯାୟୀ, ସରକାର ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇନାହାନ୍ତି। କିନ୍ତୁ ଆଶଙ୍କା କରାଯାଉଛି ଯେ ବିଦେଶୀ ପ୍ରତିଦ୍ୱନ୍ଦ୍ୱୀମାନେ ଏହି AI ର ସେଫଗାର୍ଡକୁ ‘ଜେଲବ୍ରେକ୍’ କରି ସଫ୍ଟୱେର୍ର ଦୁର୍ବଳତା ଖୋଜିବା ପାଇଁ ଏହାର ଅପବ୍ୟବହାର କରିପାରନ୍ତି। ପୂର୍ବରୁ ଘରୋଇ ସର୍ଭେଲାନ୍ସ ଏବଂ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ AI ର ବ୍ୟବହାରକୁ Anthropic ମନା କରିବା ପରେ ଟ୍ରମ୍ପ ପ୍ରଶାସନ ଏହାକୁ ବ୍ଲାକଲିଷ୍ଟ କରିଥିଲା।
ଏହି ନିଷ୍ପତ୍ତିରୁ ସ୍ପଷ୍ଟ ଯେ ଆମେରିକା ଏବେ ଚିପ୍ ଏବଂ ହାର୍ଡୱେର ବଦଳରେ ସିଧାସଳଖ AI ମଡେଲ୍ ଉପରେ କଟକଣା ଲଗାଇ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଯୁକ୍ତିବିଦ୍ୟାକୁ ରୋକିବାକୁ ଚାହୁଁଛି।
“ଗ୍ଲୋବାଲାଇଜେସନ ଶେଷ” – ଶ୍ରୀଧର ଭେମ୍ବୁ
ଆମେରିକାର ଏହି ପଦକ୍ଷେପ ଉପରେ Zoho ର ସହ-ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ଗ୍ଲୋବାଲାଇଜେସନ (ବିଶ୍ୱାୟନ) ଏବେ ମୃତ। ଆଡଭାନ୍ସ ପ୍ରଯୁକ୍ତିବିଦ୍ୟା ଯେ ଜାତୀୟ ସୁରକ୍ଷା ସହ ଜଡ଼ିତ, ଏହା ତାହାର ପ୍ରମାଣ।” ସେ ଭାରତକୁ ଜରୁରୀକାଳୀନ ଭିତ୍ତିରେ ନିଜସ୍ୱ ସାର୍ବଭୌମ AI କ୍ଷମତା ବିକଶିତ କରିବାକୁ ଅନୁରୋଧ କରିଛନ୍ତି।
Anthropic ନିଜର ଆଇପିଓ (IPO) ପ୍ରସ୍ତୁତି କରୁଥିବା ବେଳେ ଏହି ବିବାଦ ସାମ୍ନାକୁ ଆସିଛି, ଯାହା ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଏବଂ ଭୂ-ରାଜନୀତି ର ସଂଘର୍ଷକୁ ଦର୍ଶାଉଛି।




