ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ରବିବାର (ଭାରତୀୟ ସମୟ) ଆମେରିକା ସେନା ପକ୍ଷରୁ କୁହାଯାଇଛି ଯେ, ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ହରମୁଜ ପ୍ରଣାଳୀ’ (Strait of Hormuz) ରେ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ବିପଦ ସୃଷ୍ଟି କରୁଥିବା ଇରାନର ଦୁଇଟି ଆତ୍ମଘାତୀ ଡ୍ରୋନକୁ ସେମାନେ ଗୁଳି କରି ଖସାଇ ଦେଇଛନ୍ତି।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇ କହିଛି, “ଆଜି ସକାଳେ ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ଆମେରିକୀୟ ସେନା, ହରମୁଜ ପ୍ରଣାଳୀରେ ଆନ୍ତର୍ଜାତୀୟ ସାମୁଦ୍ରିକ ଯାତାୟାତ ପ୍ରତି ବିପଦ ସୃଷ୍ଟି କରୁଥିବା ଇରାନର ଦୁଇଟି ୱାନ୍-ୱେ ଆଟାକ୍ (ଆତ୍ମଘାତୀ) ଡ୍ରୋନକୁ ଧ୍ୱଂସ କରିଦେଇଛନ୍ତି।”

ଏହାପୂର୍ବରୁ ଗତ ଶୁକ୍ରବାର ଦିନ ମଧ୍ୟ ଆମେରିକା ସେନା ହରମୁଜ ପ୍ରଣାଳୀ ଆଡ଼କୁ ଆସୁଥିବା ଇରାନର ୪ଟି ଆତ୍ମଘାତୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା। ଏହା ସହିତ ଇରାନ ପକ୍ଷରୁ ଆଞ୍ଚଳିକ ପଡ଼ୋଶୀ ଦେଶ ଏବଂ ହରମୁଜ ପ୍ରଣାଳୀ ଆଡ଼କୁ ମାଡ଼ ହେଉଥିବା ଏକାଧିକ ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନକୁ ମଧ୍ୟ ଆମେରିକା ବାଟରେ ଅଟକାଇବାରେ ସଫଳ ହୋଇଥିଲା।

ଶୁକ୍ରବାର ଡ୍ରୋନ ମାଡ଼ ପରେ ଆମେରିକା ସେନା ଇରାନର ଦକ୍ଷିଣ ଉପକୂଳରେ ଥିବା ସାମୁଦ୍ରିକ ସର୍ଭେଲାନ୍ସ ଭିତ୍ତିଭୂମି ଉପରେ ଜବାବୀ ଆକ୍ରମଣ କରିଥିଲା। ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଭବିଷ୍ୟତରେ ହେବାକୁ ଥିବା ଆକ୍ରମଣକୁ ରୋକିବା ପାଇଁ ଆମେରିକା ସେନା ଇରାନର ଗୋରୁକ୍ (Goruk) ଏବଂ କେଶମ ଦ୍ୱୀପ (Qeshm Island) ରେ ଥିବା ଉପକୂଳ ନଜର ରଖୁଥିବା ରାଡାର ଷ୍ଟେସନଗୁଡ଼ିକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିଛି। ତେବେ ଏହି ଆକ୍ରମଣରେ କେତେ ଜଣ ମାହାତ ହୋଇଛନ୍ତି କିମ୍ବା କେତେ କ୍ଷୟକ୍ଷତି ହୋଇଛି, ସେ ନେଇ ଆମେରିକା ସେନା କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ବିଶ୍ୱର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ତେଲ ପରିବହନ ମାର୍ଗ ମଧ୍ୟରୁ ହରମୁଜ ପ୍ରଣାଳୀ ଅନ୍ୟତମ। ଏହି ଅଞ୍ଚଳରେ ଆମେରିକା ଓ ଇରାନ ମଧ୍ୟରେ ବାରମ୍ବାର ସାମରିକ ସଂଘର୍ଷ ଯୋଗୁଁ ଆଞ୍ଚଳିକ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଗୋଟିଏ ପଟେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ସପ୍ତାହ ସପ୍ତାହ ଧରି ପରୋକ୍ଷ ଆଲୋଚନା ଚାଲିଥିବା ବେଳେ, ଅନ୍ୟପଟେ ଏଭଳି ସାମରିକ ସଂଘର୍ଷ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ଆମେରିକାର ଏହି ଦାବି ଏବଂ ଉପକୂଳ ରାଡାର ଷ୍ଟେସନ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।