କୋଲକାତା: ପଶ୍ଚିମବଙ୍ଗ ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜଣାଇଛନ୍ତି। ଏଣିକି ରାଜ୍ୟର ସମସ୍ତ ମଦ୍ରାସାରେ କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ସକାଳ ପ୍ରାର୍ଥନା ସଭାରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବା ବାଧ୍ୟତାମୂଳକ କରାଯାଇଛି।
ଗତ ମେ ୧୯ ତାରିଖରେ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆଦେଶ ତୁରନ୍ତ ଲାଗୁ ହେବ ବୋଲି କୁହାଯାଇଛି। ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଇଂରାଜୀ ମାଧ୍ୟମ ମଦ୍ରାସା, ସ୍ୱୀକୃତିପ୍ରାପ୍ତ ସଂଖ୍ୟାଲଘୁ ସ୍କୁଲ, ସିନିୟର ସେକେଣ୍ଡାରୀ କୋରାନିକ୍ ପ୍ରତିଷ୍ଠାନ ଏବଂ ସରକାରୀ ସାହାଯ୍ୟ ପାଉନଥିବା (Unaided) ମଦ୍ରାସା ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ।
କେନ୍ଦ୍ର ସରକାରଙ୍କ ଆଇନ ସଂଶୋଧନ ପରେ ପଦକ୍ଷେପ
ଚଳିତ ମେ ୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ‘ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ଅଧିନିୟମ, ୧୯୧’ (Prevention of Insults to National Honour Act) ରେ ଏକ ବଡ଼ ସଂଶୋଧନକୁ ମଞ୍ଜୁରୀ ଦେଇଥିଲେ। ଏହି ନୂଆ ସଂଶୋଧନ ଅନୁଯାୟୀ, ଜାତୀୟ ଗୀତ (ବନ୍ଦେ ମାତରମ୍) ଗାନ କରିବାରେ ବାଧା ସୃଷ୍ଟି କଲେ କିମ୍ବା ଏହାର ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବାର ପ୍ରାବଧାନ ରହିଛି। ଏହି ଆଇନଗତ ସଂଶୋଧନ ପରେ ବନ୍ଦେ ମାତରମ୍କୁ ମଧ୍ୟ ଜାତୀୟ ସଙ୍ଗୀତ (ଜନ ଗଣ ମନ) ଭଳି ସମାନ ସାମ୍ବିଧାନିକ ଓ ଆଇନଗତ ମାନ୍ୟତା ମିଳିଛି।
ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି, “କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ, ଯେମିତି କି ରାଜ୍ୟର ସମସ୍ତ ମଦ୍ରାସାରେ ଛାତ୍ରଛାତ୍ରୀମାନେ ଏହାକୁ ଗାନ କରିବେ। ଏହା ତୁରନ୍ତ ପ୍ରଭାବରୁ ଲାଗୁ କରାଯାଉ।”
ରାଜ୍ୟ ସଙ୍ଗୀତକୁ ନେଇ ଦ୍ୱନ୍ଦ୍ୱ
ଏହା ପୂର୍ବରୁ ପଶ୍ଚିମବଙ୍ଗର ସମସ୍ତ ସରକାରୀ ସ୍କୁଲରେ ରାଜ୍ୟ ସଙ୍ଗୀତ ‘ବାଂଲାର ମାଟି ବାଂଲାର ଜଲ୍’ ଗାଇବା ବାଧ୍ୟତାମୂଳକ ଥିଲା। ତେବେ ବନ୍ଦେ ମାତରମ୍ ବାଧ୍ୟତାମୂଳକ ହେବା ପରେ ଜାତୀୟ ସଙ୍ଗୀତ ସହିତ ଏହି ରାଜ୍ୟ ସଙ୍ଗୀତ ଆଗକୁ ଜାରି ରହିବ କି ନାହିଁ, ସେ ନେଇ ସ୍କୁଲ ପ୍ରଧାନ ଶିକ୍ଷକମାନେ ସରକାରଙ୍କ ପରବର୍ତ୍ତୀ ସ୍ପଷ୍ଟୀକରଣକୁ ଅପେକ୍ଷା କରିଛନ୍ତି।




