ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ି ପାଇଁ ଆଉ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ନବନିଯୁକ୍ତମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଚାକିରିର ମୂଳ ଉଦ୍ଦେଶ୍ୟ ହେଉଛି ଜନସେବା। ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି।

ଲୋକେ ନିଜ ସମସ୍ୟା ନେଇ ସରକାରୀ କର୍ମଚାରୀଙ୍କ ନିକଟକୁ ଆସିଲେ ସେମାନଙ୍କୁ ସମ୍ମାନର ସହ ଶୁଣିବା ଏବଂ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାକୁ ସେ ନବନିଯୁକ୍ତମାନଙ୍କୁ ଆହ୍ୱାନ ଦେଇଛନ୍ତି।

କେଉଁ ବିଭାଗରେ କେତେ ନିଯୁକ୍ତି?

ନିଯୁକ୍ତି ମେଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି।

ସେହିପରି ଶକ୍ତି ବିଭାଗ ଓ ଓଏଚ୍‌ପିସିରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଜଣ ଟ୍ରେନି, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଛନ୍ତି।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରୀକ୍ଷକ, କ୍ରୀଡ଼ା ବିଭାଗରେ ୨୬ ଜଣ କନିଷ୍ଠ ପ୍ରଶିକ୍ଷକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରୀକ୍ଷକ ନିଯୁକ୍ତି ପାଇଛନ୍ତି।

ଦୁଇ ବର୍ଷରେ ଆସିଛି ୨୧ ଲକ୍ଷ କୋଟିର ପୁଞ୍ଜିନିବେଶ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବଶକ୍ତିର ସାମର୍ଥ୍ୟର ସଠିକ୍‌ ଉପଯୋଗ ପାଇଁ ରାଜ୍ୟରେ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଉଛି। ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶ ଓ ବିଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରାଯାଉଛି।

ଏହାର ପରିଣାମ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟକୁ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବା ବେଳେ ଏଥିରୁ ପ୍ରାୟ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୪ ଜୁନ୍‌ରୁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ମୋଟ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ନବନିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରତିକ୍ରିୟା

କାର୍ଯ୍ୟକ୍ରମରେ ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ଓ ନଗର ଉନ୍ନୟନ ବିଭାଗର ତୁଷାରକାନ୍ତ ପଟ୍ଟନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଇପ୍ସିତା ମହାନ୍ତି, ଓଏଚ୍‌ପିସିର ଅକନ୍ତିକା ନିର୍ଝରିଣୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରତ୍ୟୁଷ ପଣ୍ଡା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ସତ୍ୟ ପ୍ରକାଶ ଜେନା ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସ୍ୱଚ୍ଛ ଓ ନିରପେକ୍ଷ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କ ସ୍ୱପ୍ନ ସାକାର ହୋଇଥିବା କହିବା ସହ ସତ୍ୟନିଷ୍ଠା ଓ ସେବା ମନୋଭାବର ସହ କାମ କରିବେ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।