ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକସ୍ଥିତ ରିଭାଲକନା ହାଇସ୍କୁଲରେ କ୍ରମାଗତ ରାଗିଂ, ମାନସିକ ନିର୍ଯାତନା ଏବଂ ଆକ୍ରମଣ ଘଟଣାରେ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହୋଷ୍ଟେଲରେ ଜୁନିୟର ଅନ୍ତେବାସୀଙ୍କୁ କ୍ରୂରତାପୂର୍ବକ ମାଡ଼ ମାରିବା ମାମଲାରେ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରୁ ବହିଷ୍କାର (Expell) କରାଯାଇଛି।

ଗତ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଜୁନିୟର ଛାତ୍ରଙ୍କୁ ହୋଷ୍ଟେଲ ଭିତରେ ସିନିୟରମାନେ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ବିବାଦ ତୀବ୍ର ରୂପ ନେଇଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚରମ ଅସନ୍ତୋଷ ପ୍ରକାଶ ପାଇଥିଲା। ବୁଧବାର ଦିନ ୧୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ସ୍କୁଲ ଆଗରେ ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହ ପ୍ରଧାନଶିକ୍ଷକଙ୍କ ବଦଳି ଏବଂ ଅଭିଯୁକ୍ତ ସିନିୟର ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସ୍କୁଲ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାରୁ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଅସୀମା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଘଟଣାରେ ସଂପୃକ୍ତ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜଣେ ଛାତ୍ରଙ୍କୁ ବହିଷ୍କାର କରାଯିବା ସହ ୬ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ ହୋଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ନିକଟସ୍ଥ ପାହାଡ଼ରେ ଲୁଚି ରହିଥିଲେ ବି ପରିସ୍ଥିତି ଶାନ୍ତ ହେବା ପରେ ଫେରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କେତେକ ନବମ ଶ୍ରେଣୀ ଛାତ୍ର ଜଣେ ଦଶମ ଶ୍ରେଣୀ ଛାତ୍ର ଓ ତାଙ୍କ ସହଯୋଗୀଙ୍କ ବ୍ୟବହାର ନେଇ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକ ଜଣକ ସମ୍ପୃକ୍ତ ଛାତ୍ରଙ୍କୁ ଚେତାବନୀ ଦେବା ପରେ, ସେମାନେ ପ୍ରତିଶୋଧପରାୟଣ ହୋଇ ହୋଷ୍ଟେଲରେ ଜୁନିୟର ଛାତ୍ରଙ୍କୁ ଅତି ନିଷ୍ଠୁର ଭାବେ ଆକ୍ରମଣ କରିଥିଲେ।