ଭୁବନେଶ୍ୱର:
ରାଜ୍ୟରେ ରାସନକାର୍ଡ ହିତାଧିକାରୀମାନେ ଓଜନ ମାପରେ ଡିଲରଙ୍କ ଠକେଇର ଶିକାର ହେଉଥିବା ତଥ୍ୟ ବିଧାନସଭାରେ ସାମ୍ନାକୁ ଆସିଛି। ଏହି ଅନିୟମିତତା ନେଇ ୭୫ ଜଣ ରାସନ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଥିବା ସୂଚନା ମିଳିଛି।
ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା Odisha Legislative Assemblyରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ Krushna Chandra Patra। ଚଳିତ ଆର୍ଥିକ ବର୍ଷରେ ୩୬୨୪ଟି ଯାଞ୍ଚ କରାଯାଇଥିବା ବେଳେ ୭୫ ଜଣ ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଏହା ସହ ଜଣେ ଡିଲରଙ୍କ ବିରୋଧରେ ଦଣ୍ଡାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ରାସନ ବଣ୍ଟନ ବ୍ୟବସ୍ଥାକୁ ପ୍ରକାଶ୍ୟ ଓ ସ୍ପଷ୍ଟ କରିବା ପାଇଁ ଇ-ପିଓଏସ୍ ମେସିନ୍ ସହିତ ମାପ ଓଜନ ଯନ୍ତ୍ରକୁ ସଂଯୋଗ କରାଯାଇଛି। ବାୟୋମେଟ୍ରିକ୍ ଅନଲାଇନ୍ ପ୍ରଣାଳୀ ମାଧ୍ୟମରେ ହିତାଧିକାରୀଙ୍କୁ ଧାନ୍ୟ ବଣ୍ଟନ କରାଯାଉଛି। ସେହିପରି ଯୋଗାଣ ବିଭାଗର ଅଧିକାରୀମାନେ ନିୟମିତ ଭାବେ ପ୍ରତ୍ୟେକ ରାସନ କେନ୍ଦ୍ର ଯାଞ୍ଚ କରୁଥିବା ଓ ଅଭିଯୋଗ ମିଳିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଧାନସଭାରେ ଏକ ଅଣତାରକା ପ୍ରଶ୍ନ ମାଧ୍ୟମରେ ବିଧାୟକ Ramachandra Kadam ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଉଳ ବଣ୍ଟନ କେନ୍ଦ୍ରରେ କମ୍ ଓଜନ, ନିମ୍ନମାନର ଧାନ୍ୟ ବଣ୍ଟନ ଓ ଅନିୟମିତ ଯୋଗାଣ ନେଇ ଅଭିଯୋଗ ବିଷୟରେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ।




