ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା (Covid-19) ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧି ପାଇବା ଏବଂ କଡ଼ପା ଜିଲ୍ଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ଖବର ଆସିବା ପରେ ଓଡ଼ିଶା ସରକାର ସତର୍କ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନଜର ରଖିବା ସହ ସର୍ଭେଲାନ୍ସକୁ ବ୍ୟାପକ ଭାବେ ବୃଦ୍ଧି କରିଛି।ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ କୋଭିଡ୍ ପରୀକ୍ଷା କରାଯାଉଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ, ତେଣୁ ସାଧାରଣ ଜନତା ଭୟଭୀତ ନହେବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ସାରା ଓଡ଼ିଶାରେ କୋଭିଡ୍ ମନିଟରିଂ ଚାଲିଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି।”ଆନ୍ଧ୍ରପ୍ରଦେଶର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୀମାନ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (CDMO) ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟକୁ ପ୍ରବେଶ କରୁଥିବା ଏଣ୍ଟ୍ରି ପଏଣ୍ଟ ବା ପ୍ରବେଶ ପଥଗୁଡ଼ିକରେ ସ୍କ୍ରିନିଂ ପ୍ରକ୍ରିୟାକୁ ଜୋରଦାର କରିବା ସହ ଯେକୌଣସି ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା ନିଶ୍ଚିତ କରିବାକୁ କୁହାଯାଇଛି। ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏବଂ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି। ପର୍ବ ସମୟରେ ଯଦି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ସଦୃଶ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ତାଙ୍କର କୋଭିଡ୍ ଟେଷ୍ଟ କରାଯିବ ଏବଂ ମାନକ ପ୍ରୋଟୋକଲ୍ ଅନୁଯାୟୀ ସ୍ୱାସ୍ଥ୍ୟ ପରିଚାଳନା କରାଯିବ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି।
ଅନ୍ୟପଟେ, ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ନୂତନ ସଂକ୍ରମଣକୁ ରୋକିବା ପାଇଁ ହସ୍ପିଟାଲଗୁଡ଼ିକରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖିବା ସହ ର଼୍ୟାପିଡ୍ ରେସପନ୍ସ ଟିମ୍କୁ ମୁତୟନ କରିଛନ୍ତି।




