ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଆକସ୍ମିକ ଇସ୍ତଫା ଦେବାର ମାତ୍ର କେଇଟା ଦିନ ପରେ, ବର୍ତ୍ତମାନ ଆଉ ଜଣେ ଯୁବ ଆଇପିଏସ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା କ୍ୟାଡରର ୨୦୨୫ ବ୍ୟାଚ୍‌ର ପ୍ରୋବେସନର ଅଫିସର ସି ଏ ରାମଦାସ (ଚୌଧୁର ଅଭିଜିତ ରାମଦାସ) ନିଜ ପଦରୁ ଇସ୍ତଫା ଦେଇ ରାଜ୍ୟ ସରକାରଙ୍କୁ ପତ୍ର ପଠାଇଛନ୍ତି। ତାଙ୍କ ବୟସ ମାତ୍ର ୩୩ ବର୍ଷ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ସିଭିଲ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାମଦାସ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା। ସେ ସମ୍ପ୍ରତି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ ଠାରେ ତାଲିମ ଗ୍ରହଣ କରୁଛନ୍ତି। ଏବେ ସେ ନିଜ ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ଓଡ଼ିଶାରେ କୌଣସି ସ୍ଥାନରେ କ୍ଷେତ୍ରୀୟ ସେବା (ଫିଲ୍ଡ ଡ୍ୟୁଟି) ଆରମ୍ଭ କରିନାହାନ୍ତି। ତେବେ ହଠାତ୍ ସେ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଡିଜିପି ୱାଇ ବି ଖୁରାନିଆ କହିଛନ୍ତି ଯେ ତାଙ୍କ ଇସ୍ତଫା ପତ୍ର ମିଳିଛି, କିନ୍ତୁ କାରଣ ଜଣାପଡ଼ିନାହିଁ।

ରାଜ୍ୟରେ ଜଣେ ଅଭିଜ୍ଞ ତଥା ଯୁବ ଡିସିପି ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେବା ନିବୃତ୍ତ ପାଇଁ ଆବେଦନ କରିବାର କିଛି ଦିନ ଭିତରେ ଜଣେ ପ୍ରଶିକ୍ଷଣ ନେଉଥିବା ଅଫିସରଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ପରପର ଦୁଇଜଣ ଯୁବ ଓ ପ୍ରତିଭାବାନ ଆଇପିଏସ ଅଫିସର ଚାକିରି ଛାଡ଼ିବାକୁ ନେଇ ଏବେ ସରକାରୀ ତଥା ପୋଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷଜ୍ଞଙ୍କ ମତରେ ଏହି ବ୍ୟାକ-ଟୁ-ବ୍ୟାକ ଇସ୍ତଫା ପଛର ପ୍ରକୃତ କାରଣ କ’ଣ, ତାହା ସରକାର ଗମ୍ଭୀରତାର ସହ ଅନୁଧ୍ୟାନ କରିବା ଆବଶ୍ୟକ।