କଟକ: ଦୀର୍ଘ ୧୧ ବର୍ଷର ଆଇନଗତ ଲଢ଼େଇ ପରେ କଟକର କୋର୍ଟରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ। ସଙ୍ଗଠନ ‘ଅଲ୍କାଏଦା ଇନ୍ ଦି ଇଣ୍ଡିଆନ୍ ସବ୍କଣ୍ଟିନେଣ୍ଟ’ (AQIS) ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ରେହମାନଙ୍କୁ ପ୍ରମାଣ ଅଭାବରୁ ମଙ୍ଗଳବାର ଦିନ କଟକ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ କରିବାରେ ପ୍ରସିକ୍ୟୁସନ (ଅଭିଯୋଗପକ୍ଷ) ବିଫଳ ହେବା ପରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି।
କଟକ ପଶ୍ଚିମକଚ୍ଛାର ବାସିନ୍ଦା ଅବଦୁର ରେହମାନଙ୍କୁ ୨୦୧୫ ମସିହା ଡିସେମ୍ବର ମାସରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମିଳିତ ଚଢ଼ାଉ କରି ଗିରଫ କରିଥିଲେ। ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଥିଲା ଯେ, ରେହମାନ ଯୁବକମାନଙ୍କୁ ଆତଙ୍କବାଦୀ ସଙ୍ଗଠନ ପାଇଁ ନିଯୁକ୍ତି ଦେବା ସହ ସେମାନଙ୍କର ମତିଭ୍ରମ କରୁଥିଲେ। ଏଥିସହ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସା ଚଲାଇ ଗରିବ ପିଲାମାନଙ୍କୁ ସେଠାରେ ଅତ୍ୟନ୍ତ ଅସନ୍ତୋଷଜନକ ପରିସ୍ଥିତିରେ ରଖିଥିବା ପୋଲିସ ଦାବି କରିଥିଲା।
ପୋଲିସ ନିଜ ଦାବିରେ ଏହା ମଧ୍ୟ କହିଥିଲା ଯେ ରେହମାନ ସାଉଦି ଆରବ, ୟୁଏଇ ଏବଂ ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ। ଏପରିକି ୨୦୦୭ ମସିହାରେ ବ୍ରିଟେନର ଗ୍ଲାସଗୋ ବିମାନବନ୍ଦର ଆତ୍ମଘାତୀ ହମଲା ଉଦ୍ୟମରେ ପ୍ରାଣ ହରାଇଥିବା ଆତଙ୍କବାଦୀ ମହମ୍ମଦ କଫିଲଙ୍କ ସହ ମଧ୍ୟ ତାଙ୍କର ଯୋଗାଯୋଗ ଥିଲା।
ଏତେ ବଡ଼ ସଂଘାତିକ ସଂଗୀନ ଅଭିଯୋଗ ଆସିଥିଲେ ମଧ୍ୟ କୋର୍ଟରେ ଏହାକୁ ପ୍ରମାଣିତ କରିବା ପାଇଁ ପୋଲିସ ବା ପ୍ରସିକ୍ୟୁସନ ପାଖରେ କୌଣସି ଦୃଢ଼ ପ୍ରମାଣ ନଥିଲା। ସମସ୍ତ ଦିଗକୁ ବିଚାର କରି କଟକ ଜିଲ୍ଲା ଜଜ୍ କୋର୍ଟ ରେହମାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। କୋର୍ଟଙ୍କ ଏହି ରାୟ ସ୍ପଷ୍ଟ କରିଛି ଯେ, କେବଳ ଅଭିଯୋଗ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ, ଆଇନ ଆଗରେ ପ୍ରମାଣ ହିଁ ସବୁକିଛି। ଏହି ରାୟ ପରେ ରେହମାନଙ୍କ ଉପରୁ ଦୀର୍ଘ ଏକ ଦଶନ୍ଧିର ସନ୍ଦେହର କଳାବାଦଲ ହଟିଛି।




