କଟକ: କଟକ ରାଜନୀତିରେ ପୁଣି ଥରେ ହଟଚମଟ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଅନୁଗତ ହେବା କର୍ପୋରେଟର ଅରବିନ୍ଦ ଜେନାଙ୍କ ପାଇଁ ମହଙ୍ଗା ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେବା ପରେ କଟକ ମହାନଗର ନିଗମ (CMC) ୫୩ ନମ୍ବର ୱାର୍ଡର ଏହି କର୍ପୋରେଟର ଏବେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।
ସୂଚନା ଅନୁଯାୟୀ, ନିକଟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏକ କାର୍ଯ୍ୟକ୍ରମରେ ମଞ୍ଚାସୀନ ହୋଇଥିଲେ ଅରବିନ୍ଦ। ଏହାକୁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ କେଉଁ ଆଧାରରେ ଏବଂ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ପ୍ରଭାତଙ୍କ ସହ ଘନିଷ୍ଠତା ହିଁ ଏହାର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି।
ନିଲମ୍ବନ ପରେ ପ୍ରତିକ୍ରିୟା ରଖି ଅରବିନ୍ଦ ଜେନା କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ଏବଂ ବିଜେଡିର ‘ନାଲି ଆଖି’କୁ ସେ ଆଦୌ ଡରିବେ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି:”ପ୍ରଭାତ ବିଶ୍ୱାଳ ହେଉଛନ୍ତି ମୋର ରାଜନୈତିକ ଗୁରୁ। ଦୁଇ ମାସ ତଳେ ଯେତେବେଳେ ତାଙ୍କୁ ବିନା କାରଣରେ ଦଳରୁ ବହିଷ୍କାର କରାଗଲା, ସେତେବେଳୁ ହିଁ ମୁଁ ଜାଣିଥିଲି ଯେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମୁଁ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲି।”
ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବାହାର କରାଯିବା ପରଠାରୁ କଟକ ବିଜେଡି ଶିବିରରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅରବିନ୍ଦଙ୍କ ଭଳି ଜଣେ ସକ୍ରିୟ କର୍ପୋରେଟରଙ୍କ ନିଲମ୍ବନ ଦଳ ଭିତରେ ଥିବା ତିକ୍ତତାକୁ ଆହୁରି ସ୍ପଷ୍ଟ କରିଛି। ଆଗାମୀ ଦିନରେ ଏହି ଘଟଣା କଟକ ରାଜନୀତିରେ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।




