ଭୁବନେଶ୍ବର: ଉପରମୁଣ୍ଡରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଏହା ଫଳରେ ରାଜ୍ୟର ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବହୁ ନିଶ୍ଚିନ୍ତାଞ୍ଚଳ ଓ ତଳିଆ ଅଞ୍ଚଳରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁ ଗଣ୍ଡା ଜଳମଗ୍ନ ହେବା ସହ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ପ୍ରବଳ ବେଗରେ ଫୁଲିବାରେ ଲାଗିଛି।
- ଆଖୁଆପଦା: ଏଠାରେ ବିପଦସଙ୍କେତ ୧୮.୩୩ ମିଟର ଥିବା ବେଳେ ଜଳସ୍ତର ୧୯.୨୭ ମିଟର ଅତିକ୍ରମ କରି ପ୍ରବାହିତ ହେଉଛି।
- ଦଶରଥପୁର ଓ ଯାଜପୁର ବ୍ଲକ: ନଦୀଜଳ ମାଡ଼ିଆସିବା ଯୋଗୁଁ ବହୁ ଗାଁ ବୁଡ଼ିଯାଇଛି। ପୂର୍ବ ବନ୍ୟାରେ ଭାଙ୍ଗିଥିବା ଘାଇ ମରାମତି ହୋଇନଥିବାରୁ ଦୋବାବିଲ ପାଟଣା ଗାଁ ଭିତରକୁ ସିଧାସଳଖ ବନ୍ୟାପାଣି ପଶିଯାଇଛି।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା, ସୋଲମ୍ପୁର, ଝୁଣ୍ଟୁଣା, ବଣ୍ଡାଳ-ମାଧିଆଳି, ନାପଙ୍ଗ, ରହଣିଆ ଓ ବାଲିପୋଖରୀ ଭଳି ୭ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। କାନ୍ତି ଓ ବାଲିପୋଖରୀ ଏସକେପ୍ ଦେଇ ପାଣି ବୋହିଯାଉଥିବାରୁ ଭଣ୍ଡାରିପୋଖରୀ-ଯାଜପୁର ସଂଯୋଗକାରୀ ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଧାମନଗର ବ୍ଲକରେ ରାତିସାରା ମାଇକ୍ ଯୋଗେ ସତର୍କ ସୂଚନା ଦିଆଯାଉଛି।
ଅପରପକ୍ଷରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ବୈତରଣୀର ବିପଦସଙ୍କେତ ୩୮.୩୬ ମିଟର ଥିବା ବେଳେ ଜଳସ୍ତର ୪୦.୨୫ ମିଟରରେ ପହଞ୍ଚିଛି। ନଦୀକୂଳିଆ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆଶଙ୍କା ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ଧାର ଓ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।




