ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଳକା ଏବଂ ପଳପଳା ନଦୀର ଜଳସ୍ତର ହ୍ରାସ ପାଇଥିଲେ ହେଁ ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ବନ୍ୟା ଜଳ ନିଷ୍କାସନର କୌଣସି ସୁବିଧାଜନକ ବ୍ୟବସ୍ଥା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟା ପାଣି ଜମି ରହିଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବିଶେଷ କରି ବସ୍ତା ବ୍ଲକ ଅନ୍ତର୍ଗତ ପୁଟୁରା ପଞ୍ଚାୟତର ଦକ୍ଷିଣପୁଟୁରା ଗାଁର ଦୃଶ୍ୟ ସବୁଠାରୁ ଅଧିକ ହୃଦୟବିଦାରକ ହୋଇଛି। ଗାଁକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତାଟିଏ ନଥିବା ବେଳେ ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବିପଦପୂର୍ଣ୍ଣ ଭାବେ ଗମନାଗମନ କରୁଛନ୍ତି। ଶିକ୍ଷା ଗ୍ରହଣ ପାଇଁ ସ୍କୁଲ ଯାଉଥିବା କୋମଳମତି ଶିଶୁମାନେ ନିଜ ଜୀବନକୁ ବାଜି ଲଗାଇ ଟାୟାର ଓ ବାଉଁଶ ଭେଳା ସାହାଯ୍ୟରେ ପାଣି ପାର୍ ହେଉଥିବା ଦେଖିବାକୁ ମିଳିଛି।
ଫସଲ ଜମି ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହିଥିବାରୁ ଚାଷୀଙ୍କ ରୁଆ-ବିହୁଡ଼ା ଧାନ ସମ୍ପୂର୍ଣ୍ଣ ପଚିନଷ୍ଟ ହୋଇଯିବାର ଭୟ ସୃଷ୍ଟି ହୋଇଛି। ସେହିପରି ଘର ଚାରିପାଖରେ ବନ୍ୟା ପାଣି ଜମି ରହିଥିବାରୁ ପାନୀୟ ଜଳର ସଙ୍କଟ ଦେଖାଦେବା ସହ ବିଶୁଦ୍ଧ ଜଳ ଓ ସ୍ୱାସ୍ଥ୍ୟସେବାର ଅଭାବରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି।
ପ୍ରଶାସନିକ ସ୍ତରରେ ତୁରନ୍ତ ବନ୍ୟା ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେବା ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍, ପାନୀୟ ଜଳ ଏବଂ ଗମନାଗମନ ପାଇଁ ଡଙ୍ଗାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।




