ଭୁବନେଶ୍ୱର: ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋ (UNESCO) ର ‘ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ’ (Intangible Cultural Heritage of Humanity) ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଗଷ୍ଟ ୧ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ମୁଖ୍ୟମନ୍ତ୍ରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବ ଆଡ଼କୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଏକ ଚିରନ୍ତନ ସଭ୍ୟତାଗତ ପରମ୍ପରା; ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ସମାବେଶିତା, ଆଧ୍ୟାତ୍ମିକତା, ହସ୍ତକଳା, ସଙ୍ଗୀତ, ନୃତ୍ୟ ଏବଂ ଜନସାଧାରଣଙ୍କ ଭାଗୀଦାରୀକୁ ପ୍ରତିଫଳିତ କରିଥାଏ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, “ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ମହୋତ୍ସବ ବିଶ୍ୱର କୋଣଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ଭାରତର ଜୀବନ୍ତ ଐତିହ୍ୟର ଅନ୍ୟତମ ଚିରସ୍ଥାୟୀ ପ୍ରତୀକ। ୟୁନେସ୍କୋର ଏହି ସମ୍ମାନଜନକ ତାଲିକାରେ ରଥଯାତ୍ରା ଅନ୍ତର୍ଭୁକ୍ତ ହେଲେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବିଶ୍ୱସ୍ତରରେ ଅଧିକ ସ୍ୱୀକୃତି ମିଳିବ। ଏହାସହ ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ଓ ପ୍ରଚାର-ପ୍ରସାର କ୍ଷେତ୍ରରେ ମଧ୍ୟ ବଡ଼ ଯୋଗଦାନ ରହିବ।”
ଏହି ନାମାଙ୍କନ ପାଇଁ ନିର୍ଦ୍ଧାରିତ ଫର୍ମାଟରେ ଆବଶ୍ୟକୀୟ ସମସ୍ତ ସହାୟକ ତଥ୍ୟ ଓ ପ୍ରମାଣପତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରଦାନ କରାଯାଇସାରିଛି। ଏହି ପ୍ରସ୍ତାବର ଆବଶ୍ୟକ ଯାଞ୍ଚ କରିବା ଏବଂ ୟୁନେସ୍କୋ ନିକଟରେ ଏହାକୁ ଶୀଘ୍ର ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବ୍ୟକ୍ତିଗତ ହସ୍ତକ୍ଷେପ ଓ ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଏହି ପ୍ରକ୍ରିୟା ସମୟରେ ଯଦି କୌଣସି ଅତିରିକ୍ତ ତଥ୍ୟ କିମ୍ବା ସହାୟତା ଆବଶ୍ୟକ ହୁଏ, ତେବେ ଓଡ଼ିଶା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତାହା ସମ୍ପୂର୍ଣ୍ଣ ଭାବେ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।




