ଭୁବନେଶ୍ୱର: ମେ ୭ ତାରିଖରେ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ହୃଦୟବିଦାରକ ଗଣପ୍ରହାର ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଗିରଫ କରିଛି। ବାଲିଅନ୍ତା ଭିଙ୍ଗାରପୁର-କାଜା ଅଞ୍ଚଳରେ ଘଟିଥିବା ଏହି ବର୍ବରକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ (CID) ପକ୍ଷରୁ କରାଯାଉଥିବା ବେଳେ ଏହି ବଡ଼ ସଫଳତା ମିଳିଛି।

ତଦନ୍ତ ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡ଼ ଅଞ୍ଚଳର ୨୪ ବର୍ଷୀୟ ଚିନୁ ଏହି ମୃତ୍ୟୁର ମୁଖ୍ୟ କାରଣ ସାଜିଥିଲା। ଅଭିଯୁକ୍ତ ଜଣକ ପୀଡ଼ିତଙ୍କ ହାତ ଗୋଡ଼ ରଶିରେ ବନ୍ଧା ଯାଇଥିବା ଅବସ୍ଥାରେ ଏକ ବାଉଁଶ ବାଡ଼ିରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ ଜଣଙ୍କୁ ଗିରଫ କରାଗଲାଣି। ମେ ୧୧ରେ ପୋଲିସ ବୁଣ୍ଟି ଓରଫ ଯୁଧିଷ୍ଠିର ଜେନା (୨୨) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପୂର୍ବରୁ ସ୍ଥାନୀୟ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଗିରଫ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଚିନୁ ଗିରଫ ହେବା ପରେ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତ ଏବଂ ଉପଲବ୍ଧ ପ୍ରମାଣ ଆଧାରରେ ଚିନୁକୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୧୦୩(୧)/୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଏଜେନ୍ସି ଏବେ ମଧ୍ୟ ପ୍ରାଥମିକତା ଭିତ୍ତିରେ ତଦନ୍ତ ଜାରି ରଖିଛି।

ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ବାଲିଅନ୍ତା ଗଣପ୍ରହାର ଘଟଣାରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି।