ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସନ୍ନିକଟ ଚିପଟ ନଦୀ ପୋଲ ତଳୁ ଦୁଇଟି ମୂଲ୍ୟବାନ ହରିଣ ସିଙ୍ଗ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳରୁ ସୂଚନା ପାଇବା ପରେ ବାରିପଦା ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ସିଙ୍ଗ ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜବତ ହୋଇଥିବା ଏହି ସିଙ୍ଗଗୁଡ଼ିକ ଏଣ୍ଟିଲପ୍ ପ୍ରଜାତିର ହରିଣର ହୋଇଥାଇପାରେ ବୋଲି ବନବିଭାଗ ଅନୁମାନ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, କେହି ଦୁର୍ବୃତ୍ତ ଏହି ହରିଣ ସିଙ୍ଗଗୁଡ଼ିକୁ ଏକ ବସ୍ତାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଲ ଉପରୁ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ। ନଦୀ କୂଳରେ ବସ୍ତାଟି ସନ୍ଦେହଜନକ ଭାବେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବନ୍ୟଜନ୍ତୁ ଚୋରା କାରବାର ସହ ଏହାର ସିଧାସଳଖ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ବନବିଭାଗ ଏବେ ସିଙ୍ଗଗୁଡ଼ିକର ପ୍ରକୃତ ଉତ୍ସ ଖୋଜିବା ପାଇଁ ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଚଳାଇଛି।

ଏହି ସିଙ୍ଗଗୁଡ଼ିକ କେଉଁ ସଂରକ୍ଷିତ ଜଙ୍ଗଲରୁ ଅଣାଯାଇଛି, ଏହା ପଛରେ କେଉଁ ଚୋରା ଶିକାରୀ କିମ୍ବା ବନ୍ୟଜନ୍ତୁ ସାମଗ୍ରୀ ତସ୍କରୀ ଚକ୍ର ସକ୍ରିୟ ଅଛି, ସେ ନେଇ ବନବିଭାଗ ତଦନ୍ତକୁ ଜୋରଦାର କରିଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସମେତ ଆଖପାଖ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ଏହି ଘଟଣାକୁ ବନବିଭାଗ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି।

ଘଟଣାସ୍ଥଳରୁ ବୈଜ୍ଞାନିକ ସୂତ୍ରରେ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ, ଏଥିରେ ସଂପୃକ୍ତ ଥିବା ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି