ଭୁବନେଶ୍ୱର: କଟକ ଚାଉଳିଆଗଞ୍ଜ ଥାନାର ମହିଳା ପୋଲିସ ଇନ୍ସପେକ୍ଟର ବିଉଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଓଡ଼ିଶା ପୋଲିସ ଅଫିସର୍ସ ଆସୋସିଏସନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାରେ ଆସୋସିଏସନ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଆସନ୍ତା ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପ୍ରଶାସନ ନିକଟରେ ଦାବି କରିଛି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସଂଘର ସଭାପତି ଅସିତ ଜେନା କହିଛନ୍ତି ଯେ, ଏହି ମାମଲାକୁ ଏକ ସାଧାରଣ ଅପମୃତ୍ୟୁ (UD) ମାମଲା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଯେହେତୁ ମୃତ ଅଧିକାରୀ ଜଣେ ଗଜେଟେଡ୍ ପୋଲିସ ଅଫିସର ଥିଲେ, ତେଣୁ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ଗଠନ କରାଯାଇ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଭବିଷ୍ୟତରେ ଯେପରି ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି।
ଏହି ପ୍ରସଙ୍ଗରେ ସଂଘ ଡିଜିପି, ପୋଲିସ କମିଶନର ଏବଂ ଡିସିପିଙ୍କ ଠାରୁ ପୂର୍ଣ୍ଣ ସହଯୋଗ ଓ ଉଚିତ ତଦନ୍ତ ଆଶା କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପୋଲିସ ବାହିନୀରେ ଥିବା ପ୍ରବଳ କାର୍ଯ୍ୟ ଚାପ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଅଧିକାରୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଛୁଟି ମଧ୍ୟ ମିଳିପାରୁ ନାହିଁ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳେ କଟକ ଚାଉଳିଆଗଞ୍ଜ ଥାନାର ପ୍ରଥମ ମହଲାରେ ଥିବା ସରକାରୀ ବିଶ୍ରାମ କକ୍ଷ ଭିତରୁ ଲେଡି ଇନ୍ସପେକ୍ଟର ବିଉଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସମଗ୍ର ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ, ପୋଲିସ କମିଶନର ଏସ. ଦେବଦତ୍ତ ସିଂ କହିଛନ୍ତି ଯେ ବିଉଟି ଜଣେ ଅତ୍ୟନ୍ତ ଦକ୍ଷ, ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ମହିଳା ଥିଲେ। କୌଣସି ପ୍ରକାରର ବିଭାଗୀୟ କିମ୍ବା ସରକାରୀ ଚାପ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କହିବାକୁ କମିଶନର ପ୍ରତ୍ୟାଖ୍ୟାନ କରିଛନ୍ତି।




