ଭଦ୍ରକ:ଲଗାଣ ବର୍ଷା ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ସହର ମଧ୍ୟରେ ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ କୃତ୍ରିମ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ, ଏବେ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟା ଭୟ ଦ୍ବିଗୁଣିତ ହୋଇଛି।

ରାଜମୁକୁନ୍ଦପୁର ବ୍ରିଜ୍ ଉପରେ ଚାଲୁଛି ବନ୍ୟା ଜଳ

ସାଳନ୍ଦୀ ନଦୀର ଉପରମୁଣ୍ଡରେ ଜଳରାଶି ବୃଦ୍ଧି ପାଇବା ଯୋଗୁଁ ବିଶେଷ କରି ଭଦ୍ରକ ବ୍ଲକ ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତରେ ଦୁର୍ଦ୍ଦଶା ଚରମସୀମାରେ ପହଞ୍ଚିଛି। ଏହି ପଞ୍ଚାୟତର ରାଜମୁକୁନ୍ଦପୁର ବ୍ରିଜ୍ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିବା ସହ ଲୋକଙ୍କ ଘର ଓ ଚାଷଜମିରେ ବନ୍ୟା ଜଳ ପ୍ରବେଶ କରିଛି।

ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି।

ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ଯୋଗାଇଦେବା ପାଇଁ ପ୍ରଶାସନିକ ଟିମ୍ ତଳିଆ ଅଞ୍ଚଳରେ ମୁତୟନ ଅଛନ୍ତି। ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି।