ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ପରିସରରେ ଗୁରୁବାର ସନ୍ଧ୍ୟାରେ ବିମାନ ବାତିଲକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ଓ ହାଇଡ୍ରାମା ଦେଖିବାକୁ ମିଳିଛି।କଲିକତାଗାମୀ ବିମାନ କ୍ରମାଗତ ବିଳମ୍ବ ହେବା ପରେ ଶେଷରେ ବାତିଲ ହେବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ହଙ୍ଗାମା କରିଛନ୍ତି।ଉତ୍ତେଜନା ଏତେ ବୃଦ୍ଧି ପାଇଥିଲା ଯେ କିଛି ଯାତ୍ରୀ ବିମାନବନ୍ଦରର ସମ୍ପତ୍ତି ଓ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଇଣ୍ଡିଗୋର (6E 7352) ବିମାନଟି ଭୁବନେଶ୍ବରରୁ କଲିକତା ଅଭିମୁଖେ ଉଡାଣ ଭରିବାର ସମୟ ଥିଲା।କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ କର୍ତ୍ତୃପକ୍ଷ ବିମାନ ଉଡାଣକୁ ପ୍ରାୟ ୩ ଘଣ୍ଟା ବିଳମ୍ବ କରିଥିଲେ।ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ବିମାନଟି ବାତିଲ ହୋଇଥିବା ଘୋଷଣା କରାଯାଇଥିଲା।

ଏହା ଶୁଣିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳିଉଠିଥିଲା।ପରିସ୍ଥିତି ଏପରି ହୋଇଥିଲା ଯେ ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।ଉତ୍ତେଜିତ ହୋଇ କେତେକ ଯାତ୍ରୀ ଚେକ୍-ଇନ୍ କାଉଣ୍ଟରରେ ଥିବା କମ୍ପ୍ୟୁଟର ମନିଟର, କିବୋର୍ଡ ଏବଂ ପାସପୋର୍ଟ ସ୍କାନିଂ ମେସିନ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି, ଯାହାର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ।

ସୁରକ୍ଷା କର୍ମୀମାନେ ତୁରନ୍ତ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ।ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବିମାନ ବିଳମ୍ବ କିମ୍ବା ବାତିଲ ହେବା ନେଇ ସଠିକ୍ ସୂଚନା ଦିଆଯାଇ ନଥିଲା ଏବଂ ଦୀର୍ଘ ସମୟ ଧରି ଛୋଟ ଛୋଟ ପିଲା ଓ ବୃଦ୍ଧ ଯାତ୍ରୀମାନେ ହଇରାଣ ହୋଇଥିଲେ।ଅପରପକ୍ଷରେ, ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି।