ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନ୍ ଭୂକମ୍ପ ପ୍ରପୀଡ଼ିତ ଦେଶ ଭେନେଜୁଏଲା ଗସ୍ତ କରିଛନ୍ତି। ସେଠାରେ ସେ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ସଙ୍କୁ ସାକ୍ଷାତ କରି ବିପର୍ଯ୍ୟୟ ପରିଚାଳନା ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ପାଣ୍ଡିଆନ୍ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏବଂ ଭାରତର ସଫଳ ମଡେଲ୍ ତଥା ପୁନରୁଦ୍ଧାର ଅଭିଜ୍ଞତା ସେଠାର ସରକାରଙ୍କ ସହ ବାଣ୍ଟିଛନ୍ତି।
ଭି.କେ. ପାଣ୍ଡିଆନ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଓ ଭିଡିଓ ସେୟାର କରିବା ପରେ ଏହି ଆନ୍ତର୍ଜାତୀୟ ଗସ୍ତ ସମ୍ପର୍କରେ ଜଣାପଡ଼ିଛି। ସେ ସେଠାକାର ଭୂକମ୍ପ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ପ୍ରଭାବିତ ଲୋକ ଓ ଉଦ୍ଧାରକାରୀ ଦଳ ସହିତ ପ୍ରତ୍ୟକ୍ଷ ଭାବେ କଥା ହୋଇଥିଲେ। ଏଥିସହ ଭେନେଜୁଏଲା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ମିଶି ସେଠାକାର ରିଲିଫ୍ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ।ନିଜ ସୋସିଆଲ ମିଡିଆ ପୋଷ୍ଟରେ ପାଣ୍ଡିଆନ୍ ଲେଖିଛନ୍ତି, “ଏହି କଠିନ ଓ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ଯେଉଁମାନେ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି, ସେମାନଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ।”
ରାଷ୍ଟ୍ରପତି ରୋଡ୍ରିଗ୍ସଙ୍କ ସହ ଆଲୋଚନା ବେଳେ ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାର ‘ଜିରୋ କାଜୁଆଲଟି’ (ଶୂନ୍ୟ ମୃତ୍ୟୁହାର) ମିଶନ କିଭଳି କାମ କରେ, ସେ ନେଇ ସେ ଆଲୋଚନା କରିଥିଲେ। ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କର ସତ୍ୟ ସାଈ ବାବାଙ୍କ ପ୍ରତି ଥିବା ଅଗାଧ ବିଶ୍ୱାସ ଭାରତ ସହିତ ଏକ ଶକ୍ତିଶାଳୀ ଆଧ୍ୟାତ୍ମିକ ସମ୍ପର୍କ ଯୋଡ଼ିଛି।ଏହି ଗସ୍ତ ସମୟରେ ଭେନେଜୁଏଲାରେ ରିଲିଫ୍ ଏବଂ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଥିବା ଭାରତୀୟ ସେନା ଏବଂ ଆର୍ମି ମେଡିକାଲ କୋର ର ଉଲ୍ଲେଖନୀୟ ସେବା ପାଇଁ ସେ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ୍ ଅକ୍ଟୋବର ୨୦୨୩ରେ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ଜୁନ୍ ୨୦୨୪ ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି।




