ଭୁବନେଶ୍ୱର: ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିବା ସୂତ୍ରରୁ ପ୍ରକାଶ ପାଇଛି। ଜଗମୋହନ ମୀନା ଓଡ଼ିଶା କ୍ୟାଡରର ୨୦୧୩ ବ୍ୟାଚ୍‌ର ଜଣେ ବରିଷ୍ଠ ଆଇପିଏସ୍ (IPS) ଅଫିସର।ତାଙ୍କ ଇସ୍ତଫାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। ତେବେ ଚର୍ଚ୍ଚା ହେଉଛି ଯେ, ସେ ରାଜସ୍ଥାନରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ଏକ ବେସରକାରୀ କମ୍ପାନୀରେ ଯୋଗଦେବାକୁ ଯୋଜନା କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିନାହାନ୍ତି, କିନ୍ତୁ ପୋଲିସ ମହଲରେ ତାଙ୍କର ଏହି ହଠାତ୍ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।୨୦୧୩ ବ୍ୟାଚ୍‌ର ଏହି ଅଫିସର ଜଣକ ଓଡ଼ିଶା ପୋଲିସର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ପୂର୍ବରୁ ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାର ଏସପି (SP) ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ସହିତ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର ଡିସିପି ଭାବେ ମଧ୍ୟ ସେ ସେବା ଯୋଗାଇଛନ୍ତି।

୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱରର ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।ବଳିଅନ୍ତାଠାରେ ରେଳବାଇ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା କରାଯିବା ଘଟଣାକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଉପରେ ଚାପ ବଢ଼ିବାରେ ଲାଗିଥିଲା ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସମାଲୋଚନା ମଧ୍ୟ ହେଉଥିଲା। ଏହି ସମୟରେ ଡିସିପିଙ୍କ ଇସ୍ତଫା ଖବର ରାଜନୈତିକ ଓ ପୋଲିସ ପ୍ରଶାସନିକ ସ୍ତରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।