ଭୁବନେଶ୍ୱର: ଭୁବନେଶ୍ବରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶନିବାର ରାତିରେ ଜଣେ ବି.ଟେକ୍ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ହଷ୍ଟେଲ ଛାତ୍ରମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିବା ବେଳେ, ମୃତ ଛାତ୍ରଙ୍କ ପରିବାର କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବହେଳା ଓ ମାନସିକ ନିର୍ଯାତନାର ଗୁରୁତର ଅଭିଯୋଗ ଆଣିଛନ୍ତି।
ମୃତ ଛାତ୍ରଜଣକ ବାରିପଦା ଅଞ୍ଚଳର ବିଶ୍ୱାସ ସ୍ୱାଇଁ ବୋଲି ଚିହ୍ନଟ ହୋଇଛନ୍ତି। ସେ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ।ଶନିବାର ରାତିରେ ତାଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ରିପୋର୍ଟରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଦେଇନାହିଁ।
ବିଶ୍ୱାସଙ୍କ ପିତା କଲେଜ କର୍ତ୍ତୃପକ୍ଷଙ୍କ ଉପରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ ରାତି ୯: ୩୬ରେ କଲେଜ ପକ୍ଷରୁ ମେସେଜ୍ ଆସିଲା ଯେ ବିଶ୍ୱାସ ହଷ୍ଟେଲରେ ଅନୁପସ୍ଥିତ ଅଛନ୍ତି। ରାତି ୧୦:୦୦ରେ ପରିବାର ଲୋକଙ୍କ ସହ ବିଶ୍ୱାସଙ୍କ କଥା ହୋଇଥିଲା। ସେ କହିଥିଲେ ଯେ ଶୋଇପଡ଼ିଥିବାରୁ ତାଙ୍କୁ ‘ଆବସେଣ୍ଟ’ ପକାଇ ଦିଆଯାଇଛି। କଲେଜ ପକ୍ଷରୁ ସୂଚନା ଦିଆଗଲା ଯେ ଛାତ୍ରଜଣକ ଆତ୍ମହତ୍ୟା କରିଛନ୍ତି।
“ମାତ୍ର ଏକ ଘଣ୍ଟା ମଧ୍ୟରେ ଏମିତି କ’ଣ ଘଟିଲା? କଲେଜର ମନିଟରିଂ ବ୍ୟବସ୍ଥା କେଉଁଠି ଥିଲା?” ବୋଲି ମୃତ ଛାତ୍ରଙ୍କ ପିତା ପ୍ରଶ୍ନ ଉଠାଇଛନ୍ତି।
ଏହି ଘଟଣା ପରେ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରମାନେ ନ୍ୟାୟ ଦାବିରେ ରାତିସାରା ନାରାବାଜି ଓ ପ୍ରଦର୍ଶନ କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପରିବାର ଲୋକେ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।




