ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଝଡ଼ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଗ ଖରାପ ହେବା ହେତୁ ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସୁଥିବା ଏକ ବିମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିପାରିନାହିଁ । ଶେଷ ମୁହୂର୍ତ୍ତରେ ବିମାନଟିକୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ସେଠାରେ ଜରୁରୀ ଅବତରଣ (Emergency Landing) କରାଯାଇଛି।

ସୂଚନା ଅନୁଯାୟୀ, ଅକାସା ଏୟାରର କ୍ୟୁପି-୧୫୦୩ (Akasa Air QP-1503) ବିମାନଟି ବୁଧବାର ରାତିରେ ବେଙ୍ଗାଳୁରୁରୁ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ମାତ୍ର ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଏଠାରେ ପାଗ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ଝଡ଼ବର୍ଷା ଯୋଗୁଁ ବିମାନ ଅବତରଣ ଅସମ୍ଭବ ବୋଲି ପାଇଲଟ୍ ଅନୁଭବ କରିଥିଲେ ।ଏହା ସହିତ ବିମାନରେ ଇନ୍ଧନ ମଧ୍ୟ କମ୍ ହୋଇଯାଇଥିଲା । ଫଳରେ ଆକାଶରେ ଅଧିକ ସମୟ ଚକ୍କର କାଟିବା ବିପଦଜନକ ଥିବାରୁ ପାଇଲଟ୍ ତୁରନ୍ତ ଲକ୍ଷ୍ନୌ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।ବିମାନରେ ୧୯୪ ଜଣ ଯାତ୍ରୀ ଥିବାରୁ ପାଇଲଟଙ୍କ ସୂଚନା ପାଇବା ମାତ୍ରେ ଲକ୍ଷ୍ନୌ ବିମାନବନ୍ଦର ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା ଏବଂ ସେଠାରେ ‘ଫୁଲ୍ ଇମରଜେନ୍ସି’ ଘୋଷଣା କରାଯାଇଥିଲା ।

ଅଘଟଣର ଆଶଙ୍କା କରି ବିମାନବନ୍ଦର କର୍ତ୍ତୃପକ୍ଷ ରନୱେରେ ଥିବା ଅନ୍ୟ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ବନ୍ଦ କରିଦେଇଥିଲେ ଏବଂ ସମ୍ପୂର୍ଣ୍ଣ ରନୱେ ଖାଲି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ରନୱେ ନିକଟରେ କ୍ରାଶ୍ ଫାୟାର ଟେଣ୍ଡର ମେଡିକାଲ୍ ୟୁନିଟ୍ ଓ ଆମ୍ବୁଲାନ୍ସ ଜରୁରୀ ପ୍ରତିକ୍ରିୟା ଟିମ୍ ମୁତୟନ କରାଯାଇଥିଲା ।ଏହାସହ କଣ୍ଟ୍ରୋଲ୍ ରୁମରୁ ବିମାନଟିର ଗତିବିଧି ଉପରେ ନିରନ୍ତର ନଜର ରଖାଯାଇଥିଲା ।

ତେବେ ପାଇଲଟଙ୍କ ସୂଚନା ଓ ଏଟିସିର ସଠିକ୍ ସମନ୍ୱୟ ଯୋଗୁଁ ବୋଇଂ ୭୩୭ ମ୍ୟାକ୍ସ ଭିଟି ୱାଇଏଜେ (Boeing 737 Max VT-YAG) ବିମାନଟି ବୁଧବାର ରାତି ୯ଟା ୨୧ ମିନିଟ୍‌ରେ ଲକ୍ଷ୍ନୌ ବିମାନବନ୍ଦରର ରନୱେ-୦୯ ଉପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଅବତରଣ ପରେ ବିମାନର ସମସ୍ତ ବ୍ୟବସ୍ଥା ସ୍ୱାଭାବିକ ଥିବା ନେଇ ପାଇଲଟ୍ ସୂଚନା ଦେଇଛନ୍ତି ଏବଂ ସମସ୍ତ ୧୯୪ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।.